ଆକ୍ସନ ମୋଡରେ ଯୋଗୀ, ଯୋଗୀ ରାଜ୍ୟରେ ମାଫିଆଙ୍କୁ ନୋ-ମାଫି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପୁଣି ଯୋଗୀଙ୍କ ରଣହୁଙ୍କାର । ଅତିକ୍‌ ହତ୍ୟାକାଣ୍ଡ ନେଇ ଚର୍ଚ୍ଚା ଥମିନଥିବା ବେଳେ, ଆହୁରି ୬୧ ମାଫିଆଙ୍କ ତାଲିକା ପ୍ରସ୍ତୁତ କରିସାରିଲାଣି ଉତ୍ତରପ୍ରଦେଶ । ଅତିକ୍‌ ଭଳି ମାଫିଆକୁ ମାଟିରେ ମିଶାଇ ଦେବେ ବୋଲି କହିଥିବା ଯୋଗୀ, ଗତକାଲି ମଧ୍ୟ ଏକ କାର୍ୟ୍ୟକ୍ରମରେ କହିଛନ୍ତି ଯେ, ଯେଉଁମାନେ ଦିନେ ଉତ୍ତରପ୍ରଦେଶର ପରିଚୟ ପାଇଁ ସଂକଟ ଥିଲେ, ଆଜି ସେମାନେ ନିଜେ ସଂକଟରେ ।

ଅନ୍ୟପଟେ ଯୋଗୀ ପୁଣି ସୂଚାଇ ଦେଇଛନ୍ତି ଯେ, ମାଫିଆଙ୍କୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ଆଦୌ ଶିଥିଳ ପଡିନି । ଗତକାଲି ଲକ୍ଷେ୍ନøରେ ଏକ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ବେଳେ, ମାଫିଆ ପ୍ରସଙ୍ଗ ଉଠାଇ ଶିଳ୍ପପତିଙ୍କୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କହିଛନ୍ତି, ଏବେ କୌଣସି ପେସାଦାର ଅପରାଧୀ କିମ୍ବା ମାଫିଆ ଜଣେ ବି ଶିଳ୍ପପତିଙ୍କୁ ଫୋନରେ ଡରାଇ-ଧମକାଇ ପାରିବନି । ଯେଉଁ ଉତ୍ତରପ୍ରଦେଶ ଦିନେ ଦଙ୍ଗା ପାଇଁ ଜଣାଯାଉଥିଲା, ଯେଉଁଠି କିଛି ଜିଲ୍ଲାର ନାଁ ହିଁ ଲୋକଙ୍କୁ ଡରାଇ ଦେଉଥିଲା, ଏବେ ସେଠି ଡରିବାର କୌଣସି ଆବଶ୍ୟକତା ନାହିଁ।

ପୂର୍ବର ଅଖିଳେଶ ସରକାର ଉପରେ ନିଶାନା ସାଧିବାକୁ ଯାଇ ଯୋଗୀ କହିଛନ୍ତି ଯେ, ୨୦୧୨ରୁ ୨୦୧୭ ଭିତରେ ୟୁପିରେ ୭ଶହରୁ ଅଧିକ ଦଙ୍ଗା ହୋଇଥିଲା । ହେଲେ ୨୦୧୭ରୁ ୨୦୨୩ ଭିତରେ ଗୋଟିଏ ବି ଦଙ୍ଗା ହୋଇନି କି କୌଣସି କର୍ଫ୍ୟୁ ଲାଗିନି । ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ତରପ୍ରଦେଶକୁ ମାଫିଆମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ସହିତ ଆଇନରେ ବି ବ୍ୟବସ୍ଥା କରିଛନ୍ତି ଯୋଗୀ ଆଦିତ୍ୟନାଥ ସରକାର ।

ତେଣେ ପୋଲିସ ହେପାଜତରେ ୩ ଜଣ ଯୁବକ ଗୁଳି କରି ଅତିକ୍‌ ଅହମ୍ମଦକୁ ହତ୍ୟା କରିବା ପରେ, ତାର ଗ୍ୟାଙ୍ଗ୍‌ ଏକପ୍ରକାର ଭୁଶୁଡିଯାଇଛି । ଗତ ଫେବୃଆରୀ ୨୫ରେ ଅତିକ୍‌ ପ୍ରସଙ୍ଗ ଉଠାଇ ୟୁପି ବିଧାନସଭାରେ ଯୋଗୀ ଶକ୍ତ ସ୍ୱରରେ କହିଥିଲେ ଯେ, ମାଫିଆଙ୍କୁ ମାଟିରେ ମିଶାଇ ଦେବି । ଆଉ ଅତିକ୍‌ ସାମ୍ରାଜ୍ୟ ଧରାଶାୟୀ ହେବା ପରେ, ତେଣେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଯୋଗୀ ସରକାର ସ୍କାନରରେ ଏବେ ଆହୁରି ଅନେକ ମାଫିଆ । ୬୧ ଜଣ କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରସ୍ତୁତ କରିଛି ଉତ୍ତରପ୍ରଦେଶ ପୋଲିସ ।

Leave A Reply

Your email address will not be published.