ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଣ ବିସ୍ଫୋରଣରେ ଯୁବକ ମୃତ। ଭୁବନେଶ୍ୱରର ଭିଏସଏସ ନଗରରେ ଘଟିଛି ଏହି ଘଟଣା। ବାଣ ବିସ୍ଫୋରଣରେ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ପରିଚୟ ମିଳିଛି ତାଙ୍କ ନାମ ଶିବାନନ୍ଦ ତାଡୋ। ସେ ବାଣ ତିଆରି କଲା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ହୋଇ ସେ କ୍ୟାପିଟାଲ୍ ମେଡ଼ିକାଲ୍ରେ ଚିକିତ୍ସାଧୀନ ଥିଲେ। ସୂଚନା ଥାଉକି, ବିସ୍ଫୋରଣରେ ତାଙ୍କ ମୁଣ୍ଡ, ଗୋଡ଼, ହାତ ଓ ଆଖିରେ ଗଭିତ ଆଘାତ ଲାଗିଥିଲାବିସ୍ଫୋରଣର ମାତ୍ରା ଏତେ ଭୟାବହ ଥିଲା ଯେ ଶିବାନନ୍ଦଙ୍କ ଘର ଛାତ ଉଡ଼ିଯାଇଥିଲା। ଏହା ସହିତ ତାଙ୍କ ଘର ପାଖରେ ଥିବା ୨ଟି କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ରାଜଧାନୀର ଛାତି ଉପରେ କିଭଳି ବେଆଇନ ବାଣ ତିଆରି ଚାଲୁଥିଲା ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ। ଘଟଣାସ୍ଥଳରେ ଜୋନ ୫ ଏସିପି ସଞ୍ଜୀବ ଶତପଥୀ ପହଞ୍ଚି ତଦନ୍ତ କରିଥିଲେ। ବାଣ ବିସ୍ଫୋରଣର ଉଚ୍ଚ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ।
ଅନ୍ୟପଟେ ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଦୀପାବଳିରେ ବାଣ ବାଲି ବଳକା ଥିବାରୁ ତାହାକୁ ଖରାରେ ଶୁଖାଇଥିଲେ ଶିବାନନ୍ଦ। ବିବାହ କାର୍ଯ୍ୟ ପାଇଁ ତାଙ୍କୁ ବାଣ ଅର୍ଡର୍ ଆସିଥିଲା ସେଥିପାଇଁ ସେ ବାଣ ତିଆରି କରୁଥିଲେ ବୋଲି ମେୟର କହିଛନ୍ତି।
ସୂଚନା ଥାଉକି କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁରରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ୭ ଜଣଙ୍କର ଜୀବନ ଯାଇଥିଲା। ହେଲେ ଭୁବନେଶ୍ୱରରେ କେମିତି ଏହି ବାଣ ଭିଡା ଯିବାକୁ ଅନୁମତି ମିଳିଥିଲା ତାହାକୁ ନେଇ ସଧାରଣରେ ପ୍ରଶ୍ନ ଉଠିଛି।