ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ, ଗାଁ ଲୋକେ ବାସନ୍ଦ କରିଥିଲା କିନ୍ତୁ ଗୁହାରି ଶୁଣିଲାନି ପୋଲିସ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ । ଗୁରୁତର ଅବସ୍ଥାରେ ବାଦଲଙ୍କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁସାରେ ଗଂଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧିନ ବୋରିଗାଁର ଯୁବକ ବାଦଲ ସାହୁଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ। ଏ ନେଇ ବାଦଲ ଅନେକ ଥର ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେ ପୁଲିସ ପକ୍ଷରୁ ନ୍ୟାୟ ପାଇପାରି ନ ଥିଲେ। ଶେଷରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବାରୁ ବାଦଲ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି। ଛତ୍ରପୁରସ୍ଥିତ ଏସ୍ପି କାର୍ଯ୍ୟାଳୟ ସାମ୍ନାରେ ନିଜ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରାଯିବା ପୂର୍ବରୁୁ ସେ ଜଳିଯାଇଥିଲେ। ତାଙ୍କର ଶରୀରର ପାଖାପାଖି ୯୦ ପ୍ରତିଶତ ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ, ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା ପରେ ଏସପିଙ୍କ ଅଫିସ ଆଗରେ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ସଦସ୍ୟ । ତେବେ ଅଘଟଣ ଘଟିବା ଆଗରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ପରିବାରକୁ କାବୁ କରିଥିଲା