ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାର ଖୁବଶୀଘ୍ର ବିଜୁଳି ଦର ନିୟମରେ ପରିବର୍ତ୍ତନ ଆଣିପାରନ୍ତି । ବିଜୁଳି ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ, ଆଗାମୀ ଦିନରେ ଭାରତରେ ନୂଆ ବିଦ୍ୟୁତ୍ ନିୟମ ଆସିବ । ଯେଉଁଥିରେ କି, ଦିନରେ ବିଜୁଳି ଦର ଶସ୍ତା ଏବଂ ରାତିରେ ବିଜୁଳି ଦର ସାମାନ୍ୟ ମହଙ୍ଗା ରହିବ । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଦିନରେ ବିଜୁଳି ଦର ୨୦ ପ୍ରତିଶତ କମ୍ ରହିବ । ସେହିପରି ରାତିରେ ବିଜୁଳି ଦର ୨୦ ପ୍ରତିଶତ ଅଧିକ ରହିବ । ଯାହାଫଳରେ ଦିନରେ ବିଦ୍ୟୁତ ବ୍ୟବହାର କଲେ କମ୍ ଟଙ୍କା ଏବଂ ରାତିରେ ବିଜୁଳି ବ୍ୟବହାର କଲେ ଅଧିକ ଟଙ୍କା ଗଣିବାକୁ ପଡିବ । ତେବେ ଅକ୍ଷୟ ଶକ୍ତିର ଉପଯୋଗ ବଢାଇବାକୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ଜଣାପଡିଛି ।
ଆଶା କରାଯାଉଛି ଯେ, ଏପରି କରିବା ଦ୍ୱାରା ଗ୍ରୀଡ ଉପରେ କମ୍ ଚାପ ରହିବ । ବିଶେଷକରି ଯେଉଁ ଲୋକ କିମ୍ବା କମ୍ପାନୀମାନେ ଅଯଥାରେ ରାତିରେ ବିଜୁଳି ବ୍ୟବହାର କରୁଛନ୍ତି, ସେମାନେ ଏପରି କରିବେ ନାହିଁ । ଅନ୍ୟପଟେ କୁହାଯାଉଛି ଯେ, ୨୦୨୪ ସୁଦ୍ଧା ଏହି ନିୟମ ଆସିବ । ଏହି ନିୟମ ପ୍ରଥମେ ବାଣିଜ୍ୟିକ ଏବଂ ଉଦ୍ୟୋଗିକ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ।