ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ। ଆଜି ସେ ନିଜର ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି। ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖ ଥାଉ କି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ।ଟିମ୍ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଥିଲା। ତେବେ ଏଆଇସିସି ତରୁଣଙ୍କ ନାମ ଉପରେ ମୋହର ଲଗାଇଥିଲା। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଠିଆକରେଇଛି ।
ପ୍ରାର୍ଥିପତ୍ର ଦାଖଲ କରିବା ପରେ ତରୁଣ ପାଣ୍ଡେ କହିଛନ୍ତି ଯେ ବିଜେଡି ସରକାରର ୨୩ ବର୍ଷର ଶାସନ ଭିତରେ ଝାରସୁଗୁଡ଼ାର କିଛି ବିକାଶ ହୋଇପାରିନାହିଁ । ଏଠାରେ ଏ ପର୍ଯ୍ୟନ୍ତ ଗୋଟିଏ ସରକାରୀ କଲେଜ ହୋଇପାରିଲା ନାହିଁ । ତା’ହେଲେ କି ବିକାଶ ହୋଇଛି? ବାପା ଏଠାରୁ ତିନି ଥର ବିଧାୟକ ହୋଇଥିଲେ । ସେ ବିଧାୟକ ଥିବା ସମୟରେ ବହୁ ସ୍କୁଲ୍ ଖୋଲିଥିଲେ। ପାନୀୟ ଜଳର ସମସ୍ୟା ରହିଛି । ଗଲା ୨୩ ବର୍ଷରେ କିଛି ବିକାଶ ହୋଇନି, କେବଳ ଦୁର୍ନୀତି ହୋଇଛି। ଖାଲି ରାସ୍ତାଘାଟ ତିଆରି କରି ଲାଇଟ ଲଗାଇ ଦେବାକୁ ବିକାଶ କୁହାଯିବ ନାହିଁ। ସ୍ଥାନୀୟ ସମସ୍ୟା ଗୁଡ଼ିକର ସମାଧାନ ହୋଇନି । ଏଠାରେ ଶିଳ୍ପ ଅଛି। କିନ୍ତୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି, ସେମାନେ ବେକାର ଅଛନ୍ତି । ସେହିପରି କଳକାରଖାନା ଗୁଡ଼ିକୁ ଠିକ ଭାବେ ପରିଚାଳନା କରାଯାଉ ନଥିବା ଯୋଗୁ ଝାରସୁଗୁଡ଼ା ପ୍ରଦୂଷଣ ଜନିତ ସମସ୍ୟାର ଶିକାର ହେଉଛି । ଏହି ସବୁ ପ୍ରସଙ୍ଗ ପ୍ରଚାର ବେଳେ ଉଠାଯିବ ବୋଲି ସେ କହିଛନ୍ତି । ଏହା ସହିତ ଭୋଟର ଏଥର ତାଙ୍କୁ ଭୋଟ ଦେଇ ବିଜୟୀ କରାଇବେ ବୋଲି ତରୁଣ ପାଣ୍ଡେ ଆଶା ରଖିଥିବା କହିଛନ୍ତି। ବିଜେଡି ପକ୍ଷରୁ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ସେ ଏପ୍ରିଲ ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି । ସେ ଏପ୍ରିଲ ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ । ତେବେ ତରୁଣ ପାଣ୍ଡେଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ଝାରସୁଗୁଡ଼ା ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ । ସେ କଂଗ୍ରେସ ଟିକେଟରେ ଏହି ଆସନରୁ ୧୯୮୦, ୧୯୮୫ ଓ ୧୯୯୦ରେ ବିଧାନସଭାକୁ ନିର୍ବାଚି ହୋଇଥିଲେ ।
ସୂଚନାଯୋଗ୍ୟ, ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା । ମେ ୧୦ ତାରିଖରେ ଏହି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ କରାଯିବ।ଏଣେ ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ସେହିପରି ୧୮ ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।