ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ୧୧ ଆନ୍ତରାଜ୍ୟ ଲୁଟେରାଙ୍କୁ କାବୁକଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍। ଏମାନେ ଦୀର୍ଘ ଦିନ ଧରି ରାତିରେ ଘରେ ପଶି କରୁଥିଲେ ଲୁଟ । ଗୋଟେ ରାତିରେ ଦୁଇରୁ ୩ଟି ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଦିନରେ ରେକି କରି ରାତିରେ କରୁଥିଲେ ଲୁଟ । ଅଟୋ କିମ୍ବା ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇ ଲୁଟ କରନ୍ତି ଏହି ବଂଜରା ଗ୍ୟାଙ୍ଗ । ନିଜ ପରିଚୟ, ପ୍ରମାଣ ଲୁଚାଇବା ପାଇଁ ଅନ୍ତବସ୍ତ୍ର ପିନ୍ଧି ଏମାନେ ଲୁଟ କରନ୍ତି । ଘର ଭିତରୁ ସବୁ ସାମଗ୍ରୀ ଲୁଟ କରିବା ପରେ ଫେରାର ହୋଇଯାଆନ୍ତି । ଯାମସେଦପୁର, ଦିଳ୍ଲୀରୁ ଲୋକ ଆସି ଚୋରି ସାମଗ୍ରୀକୁ କିଣି ନିଅନ୍ତି ।
କେବଳ ଓଡ଼ିଶାର ନୁହେଁ ଦେଶରେ ବିଭିନ୍ନ ରାଜ୍ୟରେ ଏହି ଗ୍ୟାଙ୍ଗ ସକ୍ରିୟ ରହିଛି । ରାଜଧାନୀ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ଏମାନେ ଏଭଳି ଲୁଟପାଟ ଜାରି ରଖିଥିବା ବେଳେ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାେରେ ପୁଳାପୁଳା ମାମଲା ଥିବା ଜାଣିବାକୁ ପାଇଛି ପୋଲିସ । ପୋଲିସ ତାଙ୍କ ନିକଟରୁ ଘର ଝରକା ଓ କବାଟ ଭାଙ୍ଗିବା ଉପକରଣ ବିଭିନ୍ନ ସୁନାରୁପା ଅଳଙ୍କାର କିଛି ଟଙ୍କା ଜବତ କରିଛି ।