ମହାରାଷ୍ଟ୍ର ଭୂଷଣ ପୁରସ୍କାର ଉତ୍ସବରେ ଅଂଶୁଘାତରେ ଗଲା ୧୩ ଜଣଙ୍କ ଜୀବନ, ୬୦୦ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ଭୂଷଣ ପୁରସ୍କାର ଉତ୍ସବରେ ଭୟଙ୍କର ଅଘଟଣ ।  ଖରଘରଠାରେ ରବିବାର ଅପରାହ୍ଣରେ ଅଂଶୁଘାତରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି। ପ୍ରଚଣ୍ଡ ତାତିରେ ଖୋଲା ଆକାଶତଳେ ଲକ୍ଷ ଲକ୍ଷ ଲୋକ ବସିଥିଲେ। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଅନେକ ବ୍ୟକ୍ତି ସେମାନଙ୍କ ଶରୀରରୁ ଜଳୀୟଅଂଶ କମି ଯାଉଥିବା ଅଭିଯୋଗ କରିବା ସହିତ ତଳେ ବେହୋସ ହୋଇ ପଡ଼ିଯାଇଥିଲେ। ଫଳରେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଉତ୍ସବରେ ଯୋଗ ଦେଇ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ। ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଯୋଗ ଦେଇଥିଲେ।

ଏହି ଘଟଣା ପରେ ପୀଡ଼ିତମାନଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଭି ମୁମ୍ବାଇ ସ୍ଥିତ ଏମ୍‌ଜିଏମ୍‌ ହସ୍ପିଟାଲ ଯାଇଥିଲେ। ଏଥିସହିତ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ‌ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍ସବର ଆୟୋଜନ ଅତି ନିମ୍ନମାନର ଥିଲା ଏବଂ ପରିଚାଳନା ଠିକ୍ ନଥିଲା ବୋଲି ଖରଘରର ବାସିନ୍ଦା ଓ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଉତ୍ସବରେ ପ୍ରାୟ ୨୦ ଲକ୍ଷ ଲୋକ ଯୋଗ ଦେଇଥିଲେ। ତେବେ ପୁଲିସର ସୂଚନା ଅନୁଯାୟୀ ଲୋକଙ୍କ ସଂଖ୍ୟା ଏତେ ନଥିଲା। ମହାରାଷ୍ଟ୍ର ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟରୁ ଲୋକମାନେ ଏଠାକୁ ଆସିଥିଲେ। ଖରାରେ ସେମାନେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ବସି ରହିଥିଲେ। ଦୁଇଟି ଟେଣ୍ଟ ହୋଇଥିଲା ଯେଉଁଥିରେ କି ୧୦୦୦ ଜଣ ଭିଆଇପି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସୁବିଧା ଥିଲା। ଅନ୍ୟମାନେ ପ୍ରବଳ ଖରାରେ ଖୋଲା ସ୍ଥାନରେ ବସିଥିଲେ। ଡାକ୍ତରଖାନାରେ ୫୦ ଜଣ ଅଂଶୁଘାତ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.