ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) କେଳେଙ୍କାରୀ ଘଟଣା ରେ ପାଗାସ୍ଥିତ ଶୋଭା ନର୍ସଂହୋମ୍ର ସ୍ବୀକୃତିକୁ ପ୍ରତ୍ୟାହାର କରି ନେଇଛି ସ୍ବାସ୍ଥ୍ୟ ବିଭାଗ।। ଏହା ସହିତ କଟକ ନୂଆବଜାର ସ୍ଥିତ ଗୋଶାଳା ରୋଡ଼ରେ ଥିବା ଜେ.ଏମ୍. କେୟାର୍ ହସ୍ପିଟାଲ୍ ବିଏସ୍କେୱାଇ ସ୍ବୀକୃତି ନ ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କୁ ଜଣାଇ ଦେଇଛି।। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗର ତଦନ୍ତ କରିବାକୁ ଯାଇ ମଧୁପାଟଣା ଥାନା ପୋଲିସ ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିଛି।। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) କେଳେଙ୍କାରୀ ଘଟଣା ରେ କଟକ ନୂଆବଜାର ଗୋ’ଶାଳା ସ୍ଥିତ ଜେଏମ୍ କେୟାର୍ ହସ୍ପିଟାଲ୍ର ଆକାଉଣ୍ଟକୁ ପୁଲିସ ଅଚଳ କରିଦେଇଛି। ହସ୍ପିଟାଲ୍ ଆକାଉଣ୍ଟରେ ପ୍ରାୟ ୮ ଲକ୍ଷ ଟଙ୍କା ଥିଲା। ସେହିପରି ଏହି ହସ୍ପିଟାଲର ମାଲିକ ଡ଼ଃ ଚିନ୍ମୟ କୁମାର ସାହୁଙ୍କୁ ମିଳିଥିବା ଆଗୁଆ ଜାମିନ୍କୁ ମଧ୍ୟ ଖାରଜ କରିବା ପାଇଁ ମଧୁପାଟଣା ଥାନା ପୁଲିସ୍ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ବିଏସ୍କେୱାଇ ଜାଲିଆତି ମାମଲାରେ ସଂପୃକ୍ତ ପାଗାସ୍ଥିତ ଶୋଭା ହସ୍ପିଟାଲ୍ର ଆକାଉଣ୍ଟ ଅଚଳ ପାଇଁ ଆବେଦନ କରାଯାଇଛି।ପୂର୍ବରୁ କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ ଓ ଏବେ ପାଗାସ୍ଥିତ ଶୋଭା ନର୍ସିଂହୋମ୍ର ବିଏସ୍କେୱାଇ ଅନୁବନ୍ଧନକୁ କଟାଯାଇଛି।
ଜେଏମ୍ କେୟାର ହସ୍ପିଟାଲ୍ରେ ଅପରେସନ୍ ପରେ ରୋଗୀ ମୃତ୍ୟୁ ଓ ପାଗାର ଶୋଭା ନସିଂହୋମ୍ରେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା କଟିବା ଘଟଣାରେ କମିଶନରେଟ ପୁଲିସ ତାର ତଦନ୍ତକୁ ଅଧିକ ଜୋରଦାର କରିଛି। ରୋଗୀ ମୃତ୍ୟୁ ଅବହେଳା ମାମଲାରେ ଠକେଇ ଓ ଜାଲିଆତି ଧାରା ଯୋଡ଼ି ହେବା ପରେ ପୁଲିସ ପକ୍ଷରୁ ଚିନ୍ମୟଙ୍କ ଆଗୁଆ ଜାମିନ୍ ଖାରଜ୍ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି । କୋର୍ଟ ଏହାର ବିଚାର କରି ମିଳିଥିବା ଜାମିନ୍କୁ ଖାରଜ କରିବା ପରେ ଚିନ୍ମୟଙ୍କ ଗିରଫଦାରୀ ବାଟ ଖୋଲିବ ବୋଲି ଡିସିପି କହିଛିନ୍ତି। ତେବେ ଖୁବ୍ଶୀଘ୍ର ଏହି ଘଟଣାରେ ଆଉ କିଛି ତଥ୍ୟ ପଦାକୁ ଆସିବ ବୋଲି ଡିସିପି ପିନାକ୍ ମିଶ୍ର ସୂଚନା ଦେଇଛନ୍ତି ।