ମେ ୩୧ରେ ପ୍ରକାଶ ପାଇବ +୨ ଫଳ । ଏନେଅଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ର ପରୀକ୍ଷା ନିୟନ୍ତ୍ରକ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ। ଚଳିତ ଥର ପ୍ରାୟ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ମେ ୨୮ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଘୋଷଣା ହୋଇଥିଲା। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ ପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ।
ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଗତ ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍ଲାଇନ୍ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍ଲାଇନ୍ରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ୍ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ଲାଗି ୬୫ଟି କେନ୍ଦ୍ର ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ଖାତା ଦେଖା ହୋଇଥିଲା। ତାପରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା। ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି।