ମାଟ୍ରିକ ପରୀକ୍ଷା ପରିଚାଳନାରେ ଅନିୟମିତତା, ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରିଚାଳନାରେ ଅନିୟମିତତା କରିଥିବା ଅଭିଯୋଗରେ ଦୁଇ ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ। କଟକ ଜିଲ୍ଲା ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଜିଲ୍ଲା ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ନିଲମ୍ବିତ ହୋଇଛନ୍ତି। ପରୀକ୍ଷା କେନ୍ଦ୍ର ସୁପରିଟେଡେଣ୍ଟ ଦାୟିତ୍ୱରେ ଥିଲେ ଏହି ଦୁଇ ପ୍ରଧାନ ଶିକ୍ଷକ। ସେହିପରି ନୟାଗଡ଼ ଡିଇଓ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଛନ୍ତି।ନୟାଗଡ଼ ବାଇଗୁଣିଆ ୱେଭର କୋଅପରେଟିଭ ଶିକ୍ଷୟତ୍ରୀ ଅର୍ପିତା ନାୟକ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ନିଲମ୍ବିତ ହୋଇଛନ୍ତି।

ସେ ସେହି ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଟେଡେଣ୍ଟ ଦାୟିତ୍ୱରେ ଥିଲେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ବାରଣ ଥିବା ବେଳେ ଯୋଡୁମ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇଥିବାର ବୋର୍ଡର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦେଖିବାକୁ ପାଇଥିଲା। ଏହା ସହିତ ପରୀକ୍ଷାର୍ଥୀ ମାନେ ପ୍ରବେଶ କରିବା ବେଳେ ମୁଖ୍ୟଦ୍ୱାରରେ କଡାକଡି ଚେକିଂ କରାଯାଇ ନ ଥିଲା। ଯୋଡୁମ ହାଇସ୍କୁଲର ମୋବାଇଲ ରଖିଥିବା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି, ଚିତ୍ତରଞ୍ଜନ ପ୍ରଧାନ, ପ୍ରଦୀପ ନାୟକ ଓ ସୁଶାନ୍ତ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ।

Leave A Reply

Your email address will not be published.