କାଲିଠାରୁ ସମ୍ପୂର୍ଣ୍ଣ ବଦଳିଯିବ ପାଗ, ଆଜିଠାରୁ ହିଁ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହୋଇଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ହିଁ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହୋଇଛି। ଆଜି ସକାଳୁ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଅନୁଭୂତ ହୋଇଛି। ଆସନ୍ତାକାଲି ପାଗ ସମ୍ପୂର୍ଣ୍ଣ ବଦଳିଯିବ। ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ ଓ କିଛି ଅଞ୍ଚଳରେ ବର୍ଷା ହେବ। ବିଶେଷ କରି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଅନୁଗୁଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୧୬ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ଝଡ ପବନ ବର୍ଷାର ପରିମାଣ ବଢ଼ିବ। ସାରା ରାଜ୍ୟରେ ବର୍ଷା ଆରମ୍ଭ ହେବ। ୧୭ ତାରିଖରୁ ସାରା ରାଜ୍ୟରେ ଝଡ଼ବର୍ଷା ହେବ।

ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ୧୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା, ପବନ ଜାରି ରହିବ। ଏଥିପାଇଁ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ଫଳରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ଯାଏ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ବିଜୁଳି, ଘଡ଼ଘଡ଼ି ଓ ଝଡ଼ ପବନ ଯୋଗୁଁ ବିଭିନ୍ନ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନ‌ରେ ଆଶ୍ରୟ ନେବା ସହ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ହେବାକୁ ସତର୍କ କରାଯାଇଛି। ଏଥିସହ ରବି ଫସଲର ଅମଳ ପାଇଁ ପ୍ରାଧାନ୍ୟ ଦେବାକୁ ମଧ୍ୟ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.