୫୩ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍: ୫୩ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ।ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଅକାଳ ବିୟୋଗ ଘଟିଛି। ମାତ୍ର ୫୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ସକାଳେ ଅଧିକ ସଙ୍କଟାପନ୍ନ ହୋଇପଡ଼ିଥିଲା। ଡାକ୍ତରୀ ଟିମ୍‌ଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ତାଙ୍କର ଏହି ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀରୁ ସୁଶାନ୍ତ ସିଂହ ୨୦୦୯, ୨୦୧୪ ଏବଂ ୨୦୧୯ରେ କ୍ରମାଗତ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେଡ଼ି ସରକାର ସମୟରେ ସେ ଶ୍ରମ, ନିୟୋଜନ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ଏବଂ ସାଧାରଣ ଲୋକଙ୍କ ସେବାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା।

ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀରକୁ ରାଜ୍ୟ ବିଧାନସଭା ପରିସରରେ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଭଟଲି ବିଧାୟକ ଇରାସୀସ ଆଚାର୍ଯ୍ୟ, ବିଧାୟକ ବାବୁ ସିଂହ, ନିରଞ୍ଜନ ପୂଜାରୀଙ୍କ ସମେତ ଦଳମତ ନିର୍ବିଶେଷରେ ଅନେକ ନେତା ଓ ବିଧାୟକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କ ଜନ୍ମମାଟି ଭଟଲିଠାରେ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ତାଙ୍କର ଅକାଳ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଦଳ ଜଣେ ଦକ୍ଷ ସଂଗଠକ ଓ ଲୋକପ୍ରିୟ ନେତାଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସରେ ଶୋକବାର୍ତ୍ତା ପୋଷ୍ଟ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Leave A Reply

Your email address will not be published.