ଓଡ଼ିଆ ନ୍ୟୁଜ୍: ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆସିଲା ରିପୋର୍ଟ। ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ରେ ନଥିଲେ କୌଣସି ତ୍ରୁଟି। ତଦନ୍ତରେ ଏପର୍ଯ୍ୟନ୍ତ ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ରେ କୌଣସି ତ୍ରୁଟି ମିଳିନଥିବା ସରକାର କହିଛନ୍ତି। ସିଭିଲ୍ ଏଭିଏସନ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏୟାର୍ ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍ଲାଇନର ବିମାନରେ ଥିବା ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ ସମ୍ପର୍କରେ ଯାଞ୍ଚ କରାଯାଇଛି। ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ମିଳିନାହିଁ।
ତଦନ୍ତକାରୀ ସଂସ୍ଥା ଦୁର୍ଘଟଣାର ସମସ୍ତ ସମ୍ଭାବ୍ୟ କାରଣ ଯାଞ୍ଚ କରୁଛି। ଗୁଜରାଟର ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର୍ ଇଣ୍ଡିଆର ଏହି ବିମାନ ଜୁନ୍ ୧୨ ତାରିଖରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଅହମଦାବାଦ ବିମାନବନ୍ଦର ନିକଟରେ ଥିବା ଏକ ଆବାସିକ ଅଞ୍ଚଳରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଅଧିକାଂଶ ଯାତ୍ରୀଙ୍କ ସହ ମୋଟ୍ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ବିମାନର ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ ହଠାତ୍ ବନ୍ଦ ହୋଇଯିବା ନେଇ କିଛି ରିପୋର୍ଟରେ ପ୍ରଶ୍ନ ଉଠିଥିଲା। ଏହା ପରେ ଡିଜିସିଏ ଓ ଅନ୍ୟ ତଦନ୍ତକାରୀ ଅଧିକାରୀମାନେ ବିମାନର ବିଭିନ୍ନ ଅଂଶ ଓ ଉଡ଼ାଣ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରୁଛନ୍ତି। ସରକାର କହିଛନ୍ତି ଯେ ତଦନ୍ତ ଏବେ ବି ଜାରି ରହିଛି ଏବଂ ଶେଷ ରିପୋର୍ଟ ଆସିବା ପୂର୍ବରୁ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ।