ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ କଶ୍ମୀର ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। କିସ୍ତଓ୍ବାରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶହୀଦ ଦୁଇ ଯବାନ ହେଉଛନ୍ତି ନାଏବ ସୁବେଦାର (ଜୁନିଅର କମିଶନଡ ଅଫିସର) ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ ।
ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଅପରେସନ ଜାରି ରହିଛି । ଏନେଇ ସେନାର ‘ହ୍ବାଇଟ ନାଇଟ କ୍ରପ୍ସ’ ପକ୍ଷରୁ ସୂଚନା ଦିଆଯାଇଛି । ବିଳମ୍ବିତ ରାତିରେ କିସ୍ତଓ୍ବାରର ନାଇଡଗାମ ଗାଁରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟର କିଛି ସମୟ ଚାଲିବା ପରେ ଭାରତୀୟ ସେନାର ଦୁଇ ଯବାନ ଶହୀଦ ହୋଇଥିଲେ । ଦୁଇ ଯବାନ ଆହତ ହୋଇଥିବାରୁ ସଙ୍ଗେ ସଙ୍ଗେ ଉଭୟଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।
ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ନାଇଡଗାମ ଗାଁ ଭୟର ବାତାବରଣ ଖେଳିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଅନ୍ୟପଟେ ଗତକାଲି ମଧ୍ୟ କଠୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। ସେନାର ରାଇଜିଂ ଷ୍ଟାର କର୍ପସ ୟୁନିଟର ସୈନ୍ୟମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ। କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Comments are closed.