କରଜ ଟଙ୍କା ସୁଝିପାରିଲାନି ବୋଲି ବାଇକରେ ବାନ୍ଧି ୨ କିଲୋମିଟର ଦୌଡାଇଲେ ଦୁଇ ଯୁବକ,ପୋଲିସ କଲା ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକରେ ତାଲିବାନ ଶାସନ । କରଜ ଟଙ୍କା ସୁଝିପାରିଲାନି ବୋଲି ବାଇକରେ ବାନ୍ଧି ୨ କିଲୋମିଟର ଦୌଡାଇଲେ ଦୁଇ ଯୁବକ। ରାସ୍ତାରେ ଅନେକ ଲୋକ ଘଟଣା ଦେଖୁଥିଲେ ମଧ୍ୟ ସମସ୍ତେ ଦର୍ଶକ ସାଜିଥିଲେ । କେହି ଉଦ୍ଧାର କରିବାକୁ ଆସିଲେ ନାହିଁ। ଏ ଭଳି ଘଟଣା ଘଟିଛି କଟକ ଚଣ୍ଡୀ ଛକ ନିକଟରେ । ରବିବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିଲା । ହେଲେ ପୋଲିସ ଏନେଇ ସାମାନ୍ୟତମ ସୁରାକ ପାଇନଥିଲା । ସୋମବାର ଏହାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ତତ୍ପର ହୋଇପଡିଥିଲା । ପରେ ଦୁଇ ଜଣଙ୍କୁ ହେବାଜତକୁ ନେଇଥିଲା । ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି, ୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି । ଏହାପରେ ସମ୍ପୃକ୍ତ ଯୁବକଙ୍କୁ ଅଭିଯୁକ୍ତମାନେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ନେଇଥିଲେ । ଶହଶହ ଲୋକ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ ରହୁଥିଲେ । ସବୁଠାରୁ ବଡ କଥା, ଟ୍ରାଫିକ ପୋଲିସ ସାମ୍ନାରେ ଏସବୁ ଦାଦାଗିରି ଚାଲିଥିବାବେଳେ ସେ ବି ଏହାର ପ୍ରତିବାଦ କରିନଥିବା ଜଣାପଡିଛି । ତେଣୁ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି ।

ଉଲ୍ଲେଖଥାଉ କି, ଅଭିଯୋଗକାରୀ ଜଣକ ଅଭିଯୁକ୍ତଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ । ହେଲେ ନିର୍ଦ୍ଧାରିତ ସମୟରେ ସେ ଟଙ୍କା ଫେରସ୍ତ କରିପାରିନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପଟିତୁଣ୍ଡ ହୋଇଥିଲା । ତେବେ ରବିବାର ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ ମିସନ୍ ରୋଡ ସ୍ଥିତ ଶୈଳବାଳା ମହିଳା କଲେଜରୁ ନିକଟରୁ ତାକୁ ଗାଡି ପଛରେ ବାନ୍ଧି ବକ୍ସିବଜାର ରାସ୍ତାରେ ଦୌଡାଇଥିଲେ । ବାଇକରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ । ଯୁବକଜଣକ ବାଇକ୍ ପଛରେ ଧଇଁସଇଁ ହୋଇ ଦୌଡୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡି ଚଲାଉଥିଲେ ।

ଯୁବକଙ୍କୁ ଗାଡି ପଛରେ ବାନ୍ଧି ଚଣ୍ଡୀଛକରୁ ବାପ୍ଟିଷ୍ଟ ଚର୍ଚ୍ଚ ପାଖ ଗଳି ଦେଇ ସୂତାହାଟ ଆଡକୁ ଦୁଇ ଯୁବକ ନେଇଯାଇଥିଲେ । ସୂତାହାଟ ଛକରେ କିଛିଲୋକ ସେମାନଙ୍କୁ ଅଟକାଇ ପଚାରିବାରୁ ଯୁବକଦ୍ୱୟ କହିଥିଲେ, ‘ସେ ଗଞ୍ଜେଇ କିଣିବାକୁ ଆମଠାରୁ ୧୦ ହଜାର ଟଙ୍କା ଧାର୍ ନେଇଥିଲା । ୨ମାସ ହେବ ଟଙ୍କା ନଦେବାରୁ ଆମେ ତାକୁ ଏମିତି ଦଣ୍ଡ ଦେଉଛୁ ।’ ସ୍ଥାନୀୟ ଲୋକେ ଏହାର ପ୍ରତିରୋଧ କରିଥିଲେ । ମାତ୍ର, ‘ଆମ ଟଙ୍କା ଫେରାଇ ଦିଅ, ଆମେ ତାକୁ ଛାଡି ଦେବୁ, ନହେଲେ ହଟିଯାଅ’ ବୋଲି କହି ଦୁଇ ଯୁବକ ମାରଣାସ୍ତ୍ର ଦେଖାଇଥିଲେ ।

ଏହାପରେ, ଅଭିଯୋଗକାରୀ ଯୁବକଙ୍କୁ ଦୌଡାଇ ଦୌଡାଇ ଓଡିଆବଜାର ଆଡକୁ ନେଇଯାଇଥିଲେ । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହତ ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Leave A Reply

Your email address will not be published.