ନୂଆପଡ଼ାରେ ନକ୍ସଲ ଆତଙ୍କ। ନକ୍ସଲମାନଙ୍କ ଗୁଳିରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର ୩ ଜଣ ଯବାନ ସହିଦ ହୋଇଛନ୍ତି। ଜିଲ୍ଲାର ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଆଜି ସିଆପିଏଫ୍ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ।
ନୂଆପଡ଼ାର ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସିଆରପିଏଫ୍ ଯବାନଙ୍କୁ ସୂଚନା ମିଳିଥିଲା। ଯାହାପରେ ସିଆରପିଏଫ୍ ଯବାନମାନେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହେବା ସହ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ। ତେବେ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୩ ଜଣ ଯବାନ ସହିଦ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
ସହିଦ ଯବାନମାନଙ୍କର ପରିଚୟ ମିଳିଛି। ସିଆରପିଏଫ୍ ଏଏସଆଇ ଶିଶୁପାଳ ସିଂହ ହେଉଛନ୍ତି ଉତ୍ତର ପ୍ରଦେଶ ନିବାସୀ। ଆଲିଗଡ଼ ଜିଲ୍ଲା ସିକନ୍ଦରାରାଉ ଥାନା ଅନ୍ତର୍ଗତ ଲାଲଗିରି ଗାଁରେ ତାଙ୍କର ଜନ୍ମ। ସେହିପରି ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ପଇଗା ନିବାସୀ ଏଏସଆଇ ଶିବଲାଲ ମଧ୍ୟ ସହିଦ ହୋଇଛନ୍ତି । କନଷ୍ଟେବଲ୍ ଧର୍ମେନ୍ଦ୍ର କୁମାର ସିଂହ ବିହାରର ରୋହତାସ ଜିଲ୍ଲା ଦନୱାର ଥାନା ଅନ୍ତର୍ଗତ ସରଭା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ତେବେ ରାଜ୍ୟ ସରକାର ପ୍ରତ୍ୟେକ ଶହୀଦଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ ନୁଆପଡା ଜିଲ୍ଲାର ୩ CRPF ଯବାନ ମାଓବାଦୀଙ୍କ ସହ ସାହସର ସହ ଲଢ଼ୁଥିବାବେଳେ ଜୀବନ ଦେଇଛନ୍ତି। ସହିଦମାନଙ୍କ ପରିବାର ପ୍ରତି ମୋର ସମବେଦନା | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ବେଳେ ଡିଜିପି କହିଛନ୍ତି ଯେ ଏହି ଅଞ୍ଚଳରେ ନକ୍ସଲ ଆକ୍ରମଣ ପାଇଁ ଅପରେସନ ଜାରି ରହିବ।