ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଚଳିତ ଆର୍ଥିକ ବର୍ଷର ଶେଷ ମାସ ଅର୍ଥାତ ୨୦୨୩ ମାର୍ଚ୍ଚ ସୁଦ୍ଧା ସରକାରୀ କମ୍ପାନି ଆଇଡିବିଆଇ ବ୍ୟାଙ୍କ ସହ ୩ କମ୍ପାନିର ବିକ୍ରି ହେବାର ସମ୍ଭାବନା ରହିଛି। ଏଥିରେ ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ବିଇଏମଏଲ ଲିମିଟେଡର ବିକ୍ରି ସାମିଲ ରହିଛି। ବିଜନେସ ଟୁଡେ ସହ ଆଲୋଚନା ବେଳେ ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଆମେ ୨୦୨୩ ମାର୍ଚ୍ଚ ପୂର୍ବରୁ କଣ୍ଟେନର ଅଫ ଇଣ୍ଡିଆ ଏବଂ ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛୁ।
ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁସ୍ତାନ ଜିଙ୍କରୁ ୨୯.୫୮ ପ୍ରତିଶତ ଅଂଶ ବିକ୍ରି କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଆର୍ଥିକ ମାମଲାର ମନ୍ତ୍ରିମଣ୍ଡଳ କମିଟି ଗତ ସପ୍ତାହରେ ଏହି ବିକ୍ରିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାଦ୍ୱାରା ସରକାରଙ୍କ ରାଜକୋଷକୁ ୩୮,୦୦୦ କୋଟିରୁ ଅଧିକ ଆୟ ହେବାର ସମ୍ଭାବନା ରହିଛି।ଉଲ୍ଲେଖଯୋଗ୍ୟ, ସରକାର ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ବିନିବେଶ ଜରିଆରେ ୬୫,୦୦୦ କୋଟି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ତେଣୁ ସରକାର ଏହି ପ୍ରମୁଖ ୩ କମ୍ପାନୀକୁ ବିକ୍ରୀ କରିଦେଇପାରନ୍ତି।