ରାଜ୍ୟରେ ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କାର ଚୂନା ମାରୁଛନ୍ତି କିଛି ଅସାମାଜିକ ଯୁବକ। ଚାକିରି ଦେବା ଆଳରେ ଲୋକଙ୍କୁ ଠକୁଥିବା ୩ ଜଣ ମାଷ୍ଟର ମାଇଣ୍ଡକୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ବେଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ ଚନ୍ଦ୍ରଶେଖରପୁର ଥାନା ସହାୟତାରେ ସେମାନଙ୍କୁ ଗିରଫ କରିଛି।
ସୂଚନା ଅନୁସାର, ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ ପୁଲିସ ଖୋଜୁଥିବା ବେଳେ ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି ବୋଲି ଜଣାପଡିଛି। ଏମାନେ ପୁନେର ଏକ ସଫ୍ଟୱେର କମ୍ପାନିରେ ଚାକିରି କରାଇ ଦେବାକୁ କହି କିଛି ଲୋକଙ୍କୁ ଠକିଥିଲେ। ସେମାନଙ୍କଠାରୁ ୨୦ ଲକ୍ଷ ଟଙ୍କା ବି ନେଇଥିଲେ। ୨୦୧୮ ମସିହାରୁ ବେଙ୍ଗାଲୁରୁ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ଥିଲେ ଏହି ତିନି ଅଭିଯୁକ୍ତ। ଚନ୍ଦ୍ରଶେଖରପୁର ପୁଲିସ ସେମାନଙ୍କୁ ଗିରଫ କରିବା ପରେ ବେଙ୍ଗାଲୁରୁ ପୁଲିସରକୁ ହସ୍ତାନ୍ତର କରିଛନ୍ତି। ବେଙ୍ଗାଲୁରୁ ପୁଲିସ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାଯାଇଛି।