ରାଜ୍ୟସ୍ତରୀୟ ଉଶୁ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାକୁ ଦଳଗତ ୩ୟ ପୁରସ୍କାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟସ୍ତରୀୟ ଉଶୁ କ୍ରୀଡା ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି ବଡ ସଫଳତା। ରାଉରକେଲା ଠାରେ ଆୟୋଜିତ ୩୦ତମ ରାଜ୍ୟ ସ୍ତରୀୟ ଉଶୁ ପ୍ରତିଯୋଗିତାରେ ମୟୂରଭଞ୍ଜର ବରିଷ୍ଠ ଦଳକୁ ତୃତୀୟ ପୁରସ୍କାର ମିଳିଛି। ସୂଚନାନୁସାରେ, ଏହି ପ୍ରତିଯୋଗିତା ପାଇଁ ଜିଲ୍ଲାରୁ ସବ-ଜୁନିଅର, ଜୁନିଅର ଏବଂ ସିନିଅର ବିଭାଗ ଉଶୁ ଦଳର ସର୍ବମୋଟ ୩୧ଜଣିଆ ଖେଳାଳିଙ୍କୁ ନେଇ ଉଶୁ କ୍ରୀଡା ପ୍ରଶିକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ମହାନ୍ତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଏହି ପ୍ରତିଯୋଗିତାରେ ସମସ୍ତ ଖେଳାଳି ବ୍ୟକ୍ତିଗତ ସ୍ତରରେ ସଫଳତା ଲାଭ କରିବା ସହିତ ସର୍ବ ସ୍ତରରେ ମୟୂରଭଞ୍ଜ ଦଳକୁ ଏହି ତୃତୀୟ ପୁରସ୍କାର ମିଳିଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସଫଳତାକୁ ଆହୁରି ତ୍ୱରାନ୍ୱିତ କରିବାପାଇଁ ଉପଦେଶ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତିଙ୍କ ସହ ସମସ୍ତ ସଫଳ କ୍ରୀଡ଼ାବିତ, କୋଚ ଏବଂ ସହାୟକ ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ଏହି ସଫଳତା ବିଷୟରେ ସୂଚନା ଦେବା ସହ ଆଗକୁ ଜିଲ୍ଲାରେ କିଭଳି ଉଶୁ କ୍ରୀଡାର ବିକାଶ ହେବ ସେ ବିଷୟରେ ଆଲୋଚନା କରିଛନ୍ତି।

ଏଥି ନିମନ୍ତେ ଜିଲ୍ଲାପାଳ, ଉଶୁ ଅଭ୍ୟାସ ପାଇଁ ପ୍ରକୃଷ୍ଟ ମ୍ୟାଟ, ଏବଂ ଉନ୍ନତ ମାନର ଇଣ୍ଡୋର ଅଭ୍ୟାସର ବ୍ୟବସ୍ଥା ମଧ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସୂଚନା ଥାଉକି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଚଳିତ ବର୍ଷ ଜୁଲାଇ ୫ ରୁ ଆରମ୍ଭ ହୋଇ ୭ରେ ଶେଷ ହୋଇଥିଲା ଏବଂ ସମସ୍ତ ଜିଲ୍ଲା ମାନଙ୍କୁ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ଦଳଗତ ଭାବେ ୩ୟ ପୁରସ୍କାର ପ୍ରାପ୍ତ କରିଛନ୍ତି।

Leave A Reply

Your email address will not be published.