ଖୋର୍ଦ୍ଧା: ଭୂଷଣ୍ଡପୁରରେ ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ, ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ୪ ଜଣ । ସଙ୍କଟାପନ୍ନ ଅବସ୍ଥାରେ ୨ ଜଣଙ୍କୁ ଏମସ, ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁରରେ ଏହି ବିସ୍ଫୋରଣ ହୋଇଛି । ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଜଳି ଯାଇଛି ଶରୀରର ଅଧିକାଂଶ ଭାଗ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।

୪ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିରାକାରପୁର ପାଣ୍ଡବ ପାଟଣାର ସହଦେବ ସାହୁ, ପୁରୀ ଜିଲ୍ଲା କଣାସ ବ୍ଲକ ବଦୁରାବର ଗାଁର ବୃନ୍ଦାବନ ସାହୁ, ଭୂଷଣ୍ଡପୁର ଅଞ୍ଚଳର ନିରଞ୍ଜନ ବେହେରା ଓ ବରଜୁ ବେହେରା । ଅନ୍ୟପଟେ ଘଟଣାସ୍ଥଳକୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପି । ବେଆଇନ ଭାବରେ ବାଣ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ଖୋର୍ଦ୍ଧା ଏସ୍‌ପି । କୌଣସି ଅନୁମତି ଦେଇ ନଥିଲା ପ୍ରଶାସନ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପୁରୀ ଡେପୁଟୀ ଫାୟାର ଅଫିସରଙ୍କୁ କୁହାଯାଇଛି । କାହିଁକି ଏଭଳି ଘଟଣା ଘଟିଲା ତାର ସମୀକ୍ଷା ହେଉଛି । ଏବେ ପ୍ରଶ୍ନ ଉଠୁଛି, ବିନା ଅନୁମତିରେ କେମିତି ଚାଲିଥିଲା ବାଣ ପ୍ରସ୍ତୁତି ? ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନ ଜାଣି ପାରିଲାନି କେମିତି ?

Leave A Reply

Your email address will not be published.