ଅମରନାଥରେ ଫସିଛନ୍ତି ୪ ଓଡ଼ିଆ: ଚାଲିଛି ଉଦ୍ଧାର କାର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଅମରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାୟଗଡ଼ା ଜିଲାର ୪ ଜଣ ଯାତ୍ରୀ ଏବେ ବି ଫସି ରହିଛନ୍ତି । ସେମାନେ ନିରାପଦ ଅଛନ୍ତି ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ରାୟଗଡ଼ା ଓ ଗଜପତି ଜିଲାର ୧୭ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଥିଲେ । ୫ ତାରିଖ ଦିନ ତାଙ୍କର ବାବା ଅମରନାଥଙ୍କ ଦର୍ଶନ କରିବା ପାଇଁ ସ୍ଥିର ହୋଇଥିଲା। ସେମାନେ ୪ ତାରିଖରେ ସେଠାରେ ପହଞ୍ଚିଥିଲେ। ତେବେ ବର୍ଷା ଯୋଗୁଁ ୪ରୁ ୭ତାରିଖ ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା । ୮ତାରିଖ ପର୍ୟ୍ୟନ୍ତ ସେମାନେ ସେଠାରେ ଫସି ରହିଥିଲେ ।

ସୌଭାଗ୍ୟବଶତଃ ସେମାନେ ଦର୍ଶନ ସାରି ଫେରୁଥିବାବେଳେ ବାଦଲ ଫଟା ବର୍ଷା ହୋଇଥିଲା । ସେମାନେ ଜୀବନ ବଞ୍ଚାଇ ଫେରି ଆସିଥିଲେ ହେଁ ମାଟି ଅତଡ଼ା ଧସିବାରୁ ସେଠାରେ ଶହଶହ ଯାତ୍ରୀଙ୍କ ସହ ଫସି ରହିଥିଲେ । ରାୟଗଡ଼ାରୁ ଯାଇଥିବା ଶ୍ରଦ୍ଧାଳୁମାନେ ସୂଚନା ଦେଇଛନ୍ତି ଯେ, ସିଆରପିଏଫ ଯବାନ ସେମାନଙ୍କୁ କ୍ୟାମ୍ପରେ ରହିବା ପାଇଁ କହିଛନ୍ତି। ଏବେ ସେମାନେ ବାଲଟାଲ କ୍ୟାମ୍ପରେ ରାତି ଯାପନ କରିବେ ଓ ଭୋରୁ ଭୋରୁ ଗାଡିରେ ଜାମ୍ମୁ ପଠାଇବେ। ସେମାନେ ବର୍ତ୍ତମାନ ସୁରକ୍ଷିତ ସ୍ଥାନରେ ଅଛନ୍ତି। ସେମାନଙ୍କ ଖାଇବା ଓ ରାତ୍ରି ଯାପନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଅଣାଯିବ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.