ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଧସିବା ଘଟଣାକୁ ପୁରିଲା ୭ ଦିନ । ଏବେବି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୦ ଶ୍ରମିକ । ବର୍ତ୍ତମାନ ସୁଦ୍ଧା ୨୨ ମିଟର ପାଇପ ଭିତରେ ପ୍ରବେଶ କରିଛି। ମାଟି ଡ୍ରିଲିଂ କାମରେ ଲାଗିଥିବା ଅଗର ମେସିନ୍ ଖରାପ ହୋଇଯିବାରୁ କାମ ଅଧାରେ ଅଟକିଛି। ଆଜି ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଉ ଏକ ଶକ୍ତିଶାଳୀ ଅଗର ମେସିନ୍ ଆସି ପହଞ୍ଚିବ।
ଏନେଇ ସୋସିଆଲ ମିଡିଆ ଏକ୍ସ (X)ରେ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । IAF ପକ୍ଷରୁ କୁହାଯାଇଛି ଯେ, “ଉତ୍ତରପ୍ରଦେଶର ଧରାସୁ ଠାରେ ଚାଲିଥିବା ଟନେଲ ଉଦ୍ଧାର କାର୍ଯ୍ୟରେ IAF ଏହାର କାର୍ଯ୍ୟ ଜାରି ରଖିଛି । ଇନ୍ଦୋରରୁ ଡେରାଡୁନ୍ ପର୍ଯ୍ୟନ୍ତ ପ୍ରାୟ 22 ଟନ ଓଜନର ଏକ ଯନ୍ତ୍ରପାତି ଆଣିବା ପାଇଁ ବାୟୁସେନାର ଏକ C-17 ଏୟାରକ୍ରାଫ୍ଟ ନିୟୋଜିତ ହୋଇଛି । ତେବେ କିଛି ଉପରକରଣ ପାଇଁ ଅପରେସନରେ ବାଧା ସୃଷ୍ଟି ହେବାରୁ ବାୟୁସେନା ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଛି । ସେପଟେ ସମୟ ଯେତେ ବଢୁଛି ଭୟ ମଧ୍ୟ ସେତେ ବଢି ବଢି ଚାଲିଛି । ଅଘଟଣକୁ 6 ଦିନ ବିତିଯାଇଥିଲେ ମଧ୍ୟ ଏବେସୁଦ୍ଧା ମାତ୍ର 25 ମିଟର ପାଇପ ଭିତରକୁ ଯାଇପାରିଛି ରେସ୍କ୍ୟୁ ଟିମ୍ ।
ମାଟି ଅତଡା ଖସୁଥିବାରୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହେଉଛି । ଡ୍ରିଲିଂ ପାଇଁ ବ୍ୟବହାର କରାଯାଉଥିବା ଆମେରିକାର ଅଗର ମେସିନରେ ବି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଗତକାଲି(ଶୁକ୍ରବାର) ଡ୍ରିଲିଂ ବେଳେ ପଥର ଚଟାଣ ସହ ମାଡ ହେବା ପରେ ଅଗର ମେସିନରେ କାମ ବନ୍ଦ ରହିଛି । ପାଖାପାଖି 60ମିଟର ଯାଏ ମାଟି ଖସିଥିବା ଅନୁମାନ କରାଯାଉଥିବା ବେଳେ ଏକ ଘଣ୍ଟାରେ ମାତ୍ର 5 ମିଟର ଡ୍ରିଲିଂ କରିପାରୁଛି ଏହି ମେସିନ ।