ଏକାଥରେ ୫୧୦ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର, ବ୍ୟାପକ ହେବ ସ୍ବାସ୍ଥ୍ୟ ସେବା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଏକାଥରେ ୫୧୦ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୫୮ ଏଲୋପାଥିକ୍ ଡାକ୍ତର, ୧୧୬ ହୋମୋପାଥିକ୍ ଡାକ୍ତର ଏବଂ ୩୬ ହୋମୋପାଥିକ୍ ଅଧ୍ୟାପକ । ଆଜି ଲୋକସେବା ଭବନର କନଭେନସନ୍ ହଲ୍ ରେ ସେମାନଙ୍କ ପାଇଁ ଓରିଏଣ୍ଟସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ରେ ଯୋଗଦେଇ ନବନିଯୁକ୍ତ ଡାକ୍ତରମାନଙ୍କୁ ସମ୍ବୋଧିତ କରିଥିଲେ । ଡାକ୍ତରମାନେ ସେମାନଙ୍କ ବୃତ୍ତିକୁ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ମିଶନ୍ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏତେସଂଖ୍ୟକ ଡାକ୍ତର ନିଯୁକ୍ତି ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ର ଆହୁରି ବ୍ୟାପକ ଏବଂ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ମିଶନ୍ ହେଉଛି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ । ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ, ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ । ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ଗୁଣାତ୍ମକ ଏବଂ କମ୍ ବ୍ୟୟସାପେକ୍ଷ ଚିକିତ୍ସା ସେବା ଯୋଗାଇଦେବା ଆମର ଲକ୍ଷ୍ୟ ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । କ୍ରମାଗତ ଭାବେ ସ୍ୱାସ୍ଥ୍ୟ ବଜେଟ୍ ବୃଦ୍ଧି ପାଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ବଜେଟ୍ ୬୮୦୦ କୋଟିରୁ ଅଧିକ ଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୨ ହଜାର କୋଟିରୁ ଅଧିକକୁ ବୃଦ୍ଧି ପାଇଛି । ଏହା ରାଜ୍ୟ ଯୋଜନାର ୬ ପ୍ରତିଶତରୁ ଅଧିକ । ବିଗତ ତିନିବର୍ଷରେ ସ୍ୱାସ୍ଥ୍ୟ ବିଭାଗର ବଜେଟ୍ ଆକାର ଦ୍ୱିଗୁଣା ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ନବନିଯୁକ୍ତ ଡାକ୍ତରମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶିକା ସମ୍ପର୍କରେ ବୁଝାଇଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହି ନୀତି ପ୍ରଯୁଜ୍ୟ । ମୁଖ୍ୟମନ୍ତ୍ରୀଙ୍କର ଏହି ମୂଳମନ୍ତ୍ରକୁ ଡାକ୍ତରମାନେ ରୋଗୀସେବା କ୍ଷେତ୍ରରେ ଭଲଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ରୋଗୀ ଚିକିତ୍ସାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଶ୍ରୀ ପାଣ୍ଡିଆନ୍ ଗୁରୁତ୍ୱ ଦେଇଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.