ଦୁଇଦିନିଆ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ, ୨୦୨୪ ଜୁନ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବାରକୋଟ ଓ ରିଆମାଳ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେବଗଡ଼ରେ ବିକାଶର ସମୀକ୍ଷା। ଦୁଇଦିନିଆ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ ୬୦୯ କୋଟି ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ନିର୍ମାଣ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରି ଧାର୍ଯ୍ୟ ସମୟ ମଧ୍ୟରେ ଏହାକୁ ଶେଷ କରିବାକୁ ବିଭାଗୀୟ ଅଧିକାରୀକୁ ନିର୍ଦ୍ଦେଶ ଦେଇଛନ୍ତି ଭିକେ ପାଣ୍ଡିଆନ। ୨୦୨୪ ଜୁନ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବାରକୋଟ ଓ ରିଆମାଳ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ତିଲେଇବଣି ପ୍ରକଳ୍ପ ୨୦୨୫ ଜୁନ ସୁଦ୍ଧା ଶେଷ ହେବ।
ଝାଡ଼େଶ୍ୱର ମନ୍ଦିରରେ ଦର୍ଶନ କରିବା ସହ ସେବାୟତ, ଟ୍ରଷ୍ଟି ମେମ୍ବରଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧାରେ ଦର୍ଶନ ପାଇଁ ମନ୍ଦିରରେ ବ୍ୟବସ୍ଥା କରାଯିବ। ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ତିଲେଇବଣି ମିସନ ଶକ୍ତି କାଫେ ପରିଦର୍ଶନ କରି ଏସଏଚଜି ସଦସ୍ୟାଙ୍କ ସହ କାଫେର ପରିଚାଳନା ନେଇ ଆଲୋଚନା କରିଥିଲେ।
5T ଉପକ୍ରମରେ ରୂପାନ୍ତରିତ କାଂସର ଆଶ୍ରମ ସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜୀବନରେ ଉଚ୍ଚ ଅଭିଳାଷ ରଖିବା ସହ ଲକ୍ଷ୍ୟ ପୂରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ। ପରେ କାଂସରରେ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ସେଠାରେ ଜିଲ୍ଲାର ଯୁବ ହକି ଖେଳାଳିଙ୍କୁ ଭେଟି ଆଲୋଚନା କରିଥିଲେ। ଦେବଗଡ଼ରେ ହକି ଟ୍ରେନିଂ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏପଟେ ତିଲେଇବଣି ବ୍ଲକର ପାରପୋଷୀ ଓ ରିଆମାଳ ବ୍ଲକର ଛତାବର ଠାରେ ମିସନ ଶକ୍ତି ସଦସ୍ୟା, ବ୍ୟାଙ୍କ ମିତ୍ର ଓ ସାଧାରଣ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟି ଆଲୋଚନା କରିଥିଲେ 5T ସଚିବ।.