ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଦେଶ ପାଳୁଛି ୭୭ତମ ସ୍ୱାଧିନତା ଦିବସ । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଥର ପାଇଁ ଲାଲ କିଲ୍ଲାରୁ ସମ୍ବୋଧିତ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବିଦେଶରୁ ଅଭିନନ୍ଦନର ସୁଅ ଛୁଟିବାର ଲାଗିଛି। ଫ୍ରାନ୍ସ , ରୁଷିଆ, ଅଷ୍ଟ୍ରେଲିଆ, ନେପାଳ ସମେତ ଅନେକ ଦେଶର ନେତା ଅଭିନନ୍ଦନ ଜଣାଇଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୋସିଆଲ ମିଡିଆରେ ନିଜର ଏବଂ ପିଏମ ମୋଦିଙ୍କ ଏକ ଫଟୋ ଶେୟାର କରିଛନ୍ତି। ସ୍ବାଧୀନତା ଦିବସରେ ସେ ଭାରତୀୟ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଏକ ମାସ ପୂର୍ବରୁ ପ୍ୟାରିସରେ ମୋର ବନ୍ଧୁ ନରେନ୍ଦ୍ର ମୋଦି ଏବଂ ମୁଁ ୨୦୪୭ ବର୍ଷ ପାଇଁ ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଇଁ ନୂତନ ଇଣ୍ଡୋ-ଫରାସୀ ଅଭିଳାଷ ସ୍ଥିର କରିଛୁ। ଭାରତ ସବୁବେଳେ ଫ୍ରାନ୍ସକୁ ଏକ ନିର୍ଭରଯୋଗ୍ୟ ବନ୍ଧୁ ଏବଂ ସାଥୀ ଭାବରେ ଭରସା କରିଥାଏ।
ଏଥି ସହ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଆପଣଙ୍କ ଦେଶ ଅର୍ଥନୈତିକ, ବୈଜ୍ଞାନିକ ଏବଂ ବୈଷୟିକ, ସାମାଜିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ୱସ୍ତରରେ ସଫଳତା ହାସଲ କରିଛି।