ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅତି ଦୟନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରୁ ଆସୁଛି ଗୋଟିଏ ପରେ ଗୋଟିଏ ସାଂଘାତିକ ଦୃଶ୍ୟ। ଜୀବନ ପାଇଁ ସଂଗ୍ରାମ କରୁଥିବା ଦେଶର କିଛି ଜନତା ଖାଦ୍ୟ ପାଇଁ କେତେ ଆତୁର ତାର ଚିତ୍ର ସାମ୍ନାକୁ ଆସିଛି। ଅଳ୍ପ କିଛି ସପ୍ତାହ ହେବ ପାକିସ୍ତାନର କେତେକ ଅଞ୍ଚଳରେ ଖୋଲିଥିବା ମାଗଣା ଅଟା ବଣ୍ଟନ କେନ୍ଦ୍ରରେ ଦଳଚକଟା ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି। ଅନ୍ୟାନ୍ୟ ସାମଗ୍ରୀ ସମେତ ପ୍ରଧାନ ଖାଦ୍ୟଶସ୍ୟର ଦର ବୃଦ୍ଧି ଯୋଗୁଁ ଅସୁବିଧାରେ ଥିବା ପରିବାରମାନଙ୍କ ପାଇଁ ପାକିସ୍ତାନ ସରକାର ମାଗଣାରେ ଅଟା ଯୋଗାଣ ଯୋଜନା କରିଛନ୍ତି। ବିଶେଷ କରି, ଗତବର୍ଷ ତୁଳନାରେ ଏବର୍ଷ ଅଟା ଦର ୪୫% ଅଧିକ ବୃଦ୍ଧି ପାଇଥିବାରୁ ଗରିବ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ସେପଟେ, ରମ୍ଜାନ୍ ମାସ ଆରମ୍ଭ ହୋଇଯାଇଥିବାରୁ ସମଗ୍ର ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଖୋଲିଥିବା ଏହି କେନ୍ଦ୍ରଗୁଡ଼ିକରେ ପ୍ରବଳ ଜନଗହଳି ହେଉଛି। ଦଳାଚକଟା ଯୋଗୁଁ ପୂର୍ବାଞ୍ଚଳ ପଞ୍ଜାବରେ ଖୋଲିଥିବା ବଣ୍ଟନ କେନ୍ଦ୍ରଗୁଡ଼ିକରେ ୨ଜଣ ମହିଳାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରାଦେଶିକ ସୂଚନା ମନ୍ତ୍ରୀ ଅମିର୍ ମିର୍ ‘ରଏଟର୍ସ’କୁ କହିଛନ୍ତି। ସେହିଭଳି କେତେକ କେନ୍ଦ୍ରରେ ଅତ୍ୟଧିକ ଭିଡ଼ ହେଉଥିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମହସିନ୍ ନକ୍ୱି ଆଦେଶ ଦେଇଥିବା କଥା ମିର୍କହିଛନ୍ତି। ଏହାଛଡ଼ା, ପ୍ରଦେଶିକ ଖାଦ୍ୟ କର୍ତ୍ତୃପକ୍ଷଙ୍କ ରେକର୍ଡ ଅନୁସାରେ, ଗତ ସପ୍ତାହରେ ଖୈବର୍ ପଖ୍ତୁନ୍ଖ୍ବା ପ୍ରଦଶେସ୍ଥିତ ଏକ ବଣ୍ଟନ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକ ବଣ୍ଟନ କେନ୍ଦ୍ରରୁ ହଜାର ହଜାର ଅଟା ବସ୍ତା ମଧ୍ୟ ଚୋରି ହୋଇଯାଉଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଅଟା ନେଇ ଯାଉଥିବା ଟ୍ରକ୍ ପଛରେ ମହୁମାଛି ଭଳି ଲୋକ ଗୋଡାଇଛନ୍ତି। ଲୋକେ ଡ୍ରାଇଭରକୁ ଟଙ୍କା ବି ଯାଚୁଛନ୍ତି, ନେହୁରା ବି ହେଉଛନ୍ତି, କିଛି ଅଟା ଦେଇଯିବାକୁ। ପାକିସ୍ତାନରେ ଏବେ ଅଟା ଓ ଚିନିଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ପଦାର୍ଥର ଘୋର ଅଭାବ ସୃଷ୍ଟି ହୋଇଛି। ଅଟା ପ୍ୟାକେଟ୍ ପିଛା ୩ ହଜାର ଟଙ୍କାରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଏହାସତ୍ତ୍ୱେ ଅଧିକାଂଶ ସ୍ଥାନରେ ଅଟା ମିଳୁନାହିଁ। ଫଳରେ ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ଏହାର କିଛି ଦିନ ପୂର୍ବରୁ ଖାଇବର ପଖତୁନୱା ପ୍ରଦେଶର ଏକ ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା। ଜାଳେଣୀ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକେ ଅତି ବିପଦଜନକ ଭାବେ ପଲିଥିନ୍ ବ୍ୟାଗରେ ଅଳ୍ପ ପରିମାଣର ଗ୍ୟାସ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଏମିତିକି ଏଭଳି ଗ୍ୟାସ ନେବା ଦ୍ୱାରା ବିସ୍ଫୋରଣ ଘଟି ବହୁ ଲୋକ ଆହତ ବି ହୋଇଥିବା କୁହାଯାଇଥିଲା।
ସେହିପରି ଆର୍ଥିକ ଦୂରାବସ୍ଥାକୁ ନେଇ ଏବେ ପାକିସ୍ତାନର ପ୍ରତ୍ୟେକ ଦିନ କଣ୍ଟକିତ ହେବାରେ ଲାଗିଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଥିଲା ବେଳେ ଆର୍ଥିକ ଦୁର୍ଗତି ଜଟିଳ ହେବା ସହିତ ସାଧାରଣ ଲୋକଙ୍କ ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି। ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବାଶ୍ୟକ ସାମଗ୍ରୀର ଉତ୍କଟ ଅଭାବ ଏବେ ଦେଶବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି।