ଆଉ ଜଣେ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ, ଜାଣନ୍ତୁ ସେ କିଏ ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭା ସାଂସଦ ପଦ ରଦ୍ଦ ନେଇ ଦେଶରେ ରାଜନୈତିକ ପାରା ଆହୁରି ଚଢୁଥିବା ବେଳେ ସମାନ ନାମଧାରୀ ଅର୍ଥାତ୍ ଆଉ ଜଣେ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ। ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟତା ହରାଇଥିବା କମିଶନଙ୍କ ଜାରି କରିଥିବା ତାଲିକାରେ ଉଲ୍ଲେଖ କରାଯାଇଛି। ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ତାଙ୍କ ନିର୍ବାଚନୀ ଖର୍ଚ୍ଚର ବିବରଣୀ ଦେଇ ନଥିବାରୁ କମିଶନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ୨୦୧୯ ଲୋକସଭା ନିର୍ବାଚନ ସ୍ୱାଧୀନ ଭାବେ ଲଢ଼ିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ୱାୟନାଡରୁ ପ୍ରାର୍ଥୀ ହୋଇଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ଉକ୍ତ ସ୍ଥାନରେ ନାମାଙ୍କନ ଭରିଥିଲେ। ତାଙ୍କୁ ୨୧୯୬ ଖଣ୍ଡ ଭୋଟ ମିଳିଥିଲା। ରାହୁଲ ଗାନ୍ଧି ଏଠାରେ ୭ ଲକ୍ଷରୁ ଅଧିକ ଭୋଟ ପାଇ ନିର୍ବାଚନ ଜିତିଥିଲେ।

‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ନିର୍ବାଚନ ଲଢ଼ିଥିଲେ ହେଁ ନିୟମ ଅନୁସାରେ ନିର୍ବାଚନୀ ଖର୍ଚ୍ଚ ସଂକ୍ରାନ୍ତ ରିପୋର୍ଟ ଇସିଙ୍କ ନିକଟରେ ଦାଖଲ କରି ନଥିଲେ। ଏହି କାରଣରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। କୌତହଳର ବିଷୟ ହେଉଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପଦ ଗତ ସପ୍ତାହରେ ରଦ୍ଦ ହୋଇଥିଲା। ସେ ଗୋଟିଏ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଥିଲା। ଏସବୁ ଭିତରେ ନିର୍ବାଚନ କମିଶନ ମାର୍ଚ୍ଚ ୨୯ରେ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୦ ଏ ଅନୁଯାୟୀ କେଉଁ ସବୁ ବ୍ୟକ୍ତି ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କର ଅପଡେଟ ତାଲିକାର ଜାରି କରିଛନ୍ତି। ଏଥିରେ ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ଙ୍କ ନାଁ ରହିଛି। ସେ ୨୦୨୧ ସେପ୍ଟେମ୍ବର ୧୩ରୁ ୨୦୨୪ ସେପ୍ଟେମ୍ବର ୧୩ ଯାଏ କୌଣସି ପ୍ରକାରର ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୁହାଯାଇଛି। ଧାରା ୧୦ ଏ ଅନୁଯାୟୀ, ଯଦି କୌଣସି ପ୍ରାର୍ଥୀ ନିର୍ବାଚନ କମିଶନ ପାଖରେ ଧାର୍ଯ୍ୟ ସମୟ ଅନୁସାରେ ତାଙ୍କ ଖର୍ଚ୍ଚ ବିବରଣୀ ନ ଦେବେ କିମ୍ବା ଉପଯୁକ୍ତ ଜବାବ ନ ରଖିପାରିବେ, ତା’ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ। ଅଯୋଗ୍ୟ ଘୋଷିତ ହେଉଥିବା ବ୍ୟକ୍ତି ୩ ବର୍ଷ ଯାଏ ନିର୍ବାଚନ ଲଢ଼ିବାରରୁ ବଞ୍ଚିତ ହେବେ। ଏବେ ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ଙ୍କ କ୍ଷେତ୍ରରେ ସମାନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭା ସାଂସଦ ପଦ ରଦ୍ଦ ପରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସଂସଦରେ ରାହୁଲ ଚଳିତମାସ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଆଦାନିଙ୍କ ସଂପର୍କକୁ ନେଇ ପ୍ରଶ୍ନ ପଚାରିଥିଲେ। ୨୦ହଜାର କୋଟି ଟଙ୍କା ଆଦାନି ସଂପର୍କୀୟଙ୍କ ଦ୍ବାରା ସେଲ୍ କମ୍ପାନି ଜରିଆରେ ଆଦାନି ଗ୍ରୁପ୍ ଅଫ କମ୍ପାନିକୁ ଆସିଛି। ଏ ଟଙ୍କା କାହାର? ଏହାକୁ ସାମ୍ନା କରିବା ପରିବର୍ତେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ସଂସଦକୁ ଦୀର୍ଘଦିନ ଧରି ଅଚଳ କରି ରଖିଲେ। ସେହିପରି ଏକ ମାନହାନି ମାମଲାରେ କୋର୍ଟ ଦଣ୍ଡାଦେଶ ଦେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରିଦିଆଗଲା। ବିଗତ ୯ବର୍ଷ ଭିତରେ ଦେଶର ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ସଂପୂର୍ଣ୍ଣଭାବେ ଧୂଳିସାତ କରି ଦିଆଯାଇଛି। ଯେଉଁମାନେ ସରକାର ଓ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଉପରେ ଇଡି, ସିବିଆଇ, ଆଇଟି ଓ ଅନ୍ୟ ବାଟରେ ଛନ୍ଦି ଦିଆଯାଉଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରର ଏହି ଗଣତନ୍ତ୍ର ବିରୋଧୀ କାର୍ଯ୍ୟକୁ ପ୍ରଶ୍ନ କରୁଥିବାରୁ ତାଙ୍କୁ ଏ ଦଣ୍ଡ ଦିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.