ପଣା ସଂକ୍ରାନ୍ତି, ଜଳଦାନ ଏକ ମହାନ ପରମ୍ପରା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପଣା ସଂକ୍ରାନ୍ତି ବା ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ । ପଣା ସଂକ୍ରାନ୍ତଠୁ ଓଡିଆ ମାସ ବୈଶାଖ ମାସ ଆରମ୍ଭ ହୁଏ । ଏହି ଦିନ ଭଗବାନଙ୍କ ନିକଟରେ ପଣାଭୋଗ ଲାଗି ହୋଇଥାଏ । ସୂର୍ଯ୍ୟଦେବ ଯେତେବେଳେ ମେଷ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ରାଶି ଚକ୍ରର ଆରମ୍ଭ ହୋଇଥାଏ ଏବଂ ସେହି ଦିନଠୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ସୂର୍ଯ୍ୟଦେବ ଏହି ଦିନଠୁ ମେଷ ରାଶିରେ ପ୍ରବେଶ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ସମସ୍ତ ରୋଗରୁ ମୁକ୍ତି ପାଇଁ ସୂର୍ଯ୍ୟ ଦେବଙ୍କୁ ଶୀତଳ ଜଳ ଅର୍ପଣ କରାଯାଏ ।

ବର୍ଷଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଂଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି ।

Leave A Reply

Your email address will not be published.