ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଉ ଦିନକ ପରେ ଓଡ଼ିଆ ନବ ବର୍ଷ ବା ମହା ବିଷୁବ ତଥା ପଣା ସଂକ୍ରାନ୍ତି। ଗାଁଠୁ ସହର, ମଠମନ୍ଦିର, ଆଖଡା ଶାଳରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ, ସବୁଠି ଜମିବାକୁ ଲାଗିଲାଣି ପଣାପାଣିର ଆସର। ହିନ୍ଦୁ ଧର୍ମ ଅନୁସାରେ ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ସୌରମାନ ବର୍ଷର ପ୍ରଥମ ଦିନ କୁହାଯାଏ । ସୂର୍ଯ୍ୟଦେବଙ୍କ ଉତ୍ତାପ ପୃଥିବୀ ପୃଷ୍ଠରେ ଅଧିକମାତ୍ରାରେ ଅନୁଭୂତ ହେବ।
ଏହାକୁ ଦୃଷ୍ଟିରେ ରଖି ପଣାପାଣିର ପରମ୍ପରା ପ୍ରଚଳିତ ହେଉଛି।ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଛି । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ । ତେଣୁ ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ ।
ଏହି ସମୟରେ ସୂର୍ଯ୍ୟଙ୍କ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ।