ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ତନ୍ମଧ୍ୟରୁ ‘ମୋ ଘର’ ଯୋଜନା ଅନ୍ୟତମ । ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ ବଡ଼ ନିଷ୍ପତ୍ତି ସୂରୂପ ମୋ ଘର ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ।
ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ । ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ ‘ମୋ ଘର’ ଯୋଜନାରେ ଲାଭ ପାଇପାରିବେ ।
ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ । ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ । ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି । ଦେଢ ଲକ୍ଷରେ ଯଥାକ୍ରମେ ୪୫ ଓ ୫୫ ହଜାର, ୨ ଓ ୩ଲକ୍ଷରେ ଯଥାକ୍ରମେ ୬୦ ଓ ୭୦ ହଜାର ସବସିଡି ମିଳିବ । ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ ।
କେଉଁମାନେ ଋଣ ପାଇବେ: ୧- କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ
୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ
୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ
ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି।