ରଜ ଆଣିଦିଏ ସଜବାଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରଜ ମଉଜ ପାଇଁ କୁଆଁରୀଟିଏ ଯେମିତି ସଜ ହୁଏ ଠିକ୍‌ ସେମିତି ଉଲ୍ଲସିତ ମନରେ ସ୍ବାଗତକରେ ନୂଆ ବୋହୂଟିଏ। କୁଆଁରୀ ସଂଜ୍ଞାକୁ ହରାଇ ନୂଆବୋହୂ ପାଲଟିବା ପରେ ରଜ ପାଳିବାର ଅନୁଭୂତି ତା’ ପାଇଁ ଅଲଗା ନିଶ୍ଚିତ। ଗୋଟିଏ ପଟେ କୁଆଁରୀ ବେଳର ଅନୁଭବ, ଖୁସିମଜାର ସ୍ମୃତି ଆଉ ଅନ୍ୟପଟେ ଶାଶୁଘରେ ଧୀରେ ଧୀରେ ଆପଣାର ହେଉଥିବା ପରିବେଶ। ୟା’ଭିତରେ ତାଳମେଳ ରକ୍ଷାକରି ରଜ ପାଳିବାକୁ ସଜ ହୋଇଥାଏ ସେ।

ନିଜ ଖୁସି ସାଙ୍ଗେ ଅନ୍ୟର ଖୁସିକୁ ବେଶି ଗୁରୁତ୍ୱ ଦେଇ ତା’ରି ଭିତରୁ ସାଉଁଟିନିଏ ହସଖୁସିର ପରିବେଶକୁ। ପହିଲି ରଜର ପହିଲି ପୁଲକରେ ମଉଜ କରିବାକୁ ସାଙ୍ଗସାଥୀ ବଦଳରେ ସେ ନଣନ୍ଦ, ଦିଅର ଓ ବନ୍ଧୁବାନ୍ଧବଙ୍କୁ ଆପଣାଇ ନିଏ। ସେମାନଙ୍କ ସହ ନିଜ ଖୁସିକୁ ବାଣ୍ଟି ରଜର ମଉଜକୁ ଢେର ଅଧିକ ଗୁଣ ବଢ଼ାଇ ଦେଇଥାଏ। । ଏହି ପର୍ବ ପାଳନ ବେଳରେ ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ଅଭିଆଡ଼ି ଝିଅମାନେ ଶାଢ଼ୀ ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି। ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି ।

ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି। ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ।ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧା ମାତାଙ୍କ ସ୍ନାନ। ପ୍ରାପ୍ତ ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ବସୁମାତାଙ୍କ ସ୍ୱରୂପକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବ ଡାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି।ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ। ରଜସ୍ୱଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ କରାଯାଏ। ବସୁମତୀ ସ୍ନାନ ଦିନ ଧରଣୀ ମା’ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ।

Leave A Reply

Your email address will not be published.