‘ରାମ ସେତୁ’ ଓ ‘ଆଦିପୁରୁଷ’ ଭଳି ଫିଲ୍ମ ସୁଟିଂ ହୋଇଥିବା ଷ୍ଟୁଡିଓ ଉପରେ ବୁଲିଲା ବୁଲଡୋଜର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ରାମ ସେତୁ’ ଓ ‘ଆଦିପୁରୁଷ’ ଭଳି ଫିଲ୍ମ ସୁଟିଂ ହୋଇଥିବା ଷ୍ଟୁଡିଓ ଉପରେ ବୁଲିଲା ବୁଲଡୋଜର । ମୁମ୍ବାଇର ମଧ ଅଞ୍ଚଳରେ ବେଆଇନ ଭାବେ ତିଆରି ହୋଇଥିବା ୧ହଜାର କୋଟି ଟଙ୍କାର ଏହି ଷ୍ଟୁଡିଓ ଉପରେ ଆଜି ବୁଲଡୋଜର ଚଲାଇଛି ବିଏମସି । ଏନେଇ ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୌମ୍ୟା ଅଭିଯୋଗ କରିଥିଲେ । କିରିଟ ସୌମ୍ୟା ଅଭିଯୋଗ କରିଥିଲେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି ଷ୍ଟୁଡିଓ ପଛରେ ଆଦିତ୍ୟ ଠାକରେ ଓ ଅସଲମ୍ ଶେଖଙ୍କର ଭାଗିଦାରୀ ରହିଛି । ଆନୁମାନିକ ୫ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୨୦୨୧ ମସିହାରେ ଏହି ଷ୍ଟୁଡିଓ ନିର୍ମାଣ କରାଯାଇଥିଲା । ଏହାକୁ ନିର୍ମାଣ କରିବାରେ ପାଖାପାଖି ୧ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କଥା କୁହାଯାଉଛି । ଏହି ଷ୍ଟୁଡିଓରେ ରାମ ସେତୁ ଓ ଆଦିପୁରୁଷ ଭଳି ସିନେମାର ସୁଟିଂ ହୋଇଥିଲା । ରାମ ସେତୁର ବଜେଟ ୧୫୦କୋଟି ଟଙ୍କା ଥିବା ବେଳେ ଆଦି ପୁରୁଷର ବଜେଟ ୬୫୦ କୋଟି ଟଙ୍କା ଥିଲା ।

ଶୁକ୍ରବାର ସକାଳ ୧୧ଟା ବେଳେ ବିଜେପି ନେତା କିରିଟ ସୌମ୍ୟା ଷ୍ଟୁଡିଓ ନିକଟକୁ ଆସି ଗଣମାଧ୍ୟମକୁ କହିଥିଲେ କି ଠାକରେ ସରକାରଙ୍କ ଏହା ଦୁର୍ନୀତିର ସ୍ମାରକ ଅଟେ, ଯାହାକୁ ଆଜି ବିଏମସି ମାଟିରେ ମିଶାଇ ଦେଇଛି । ଏହା ଆଦିତ୍ୟ ଠାକରେ ଓ ଅସଲମ୍ ଶେଖଙ୍କ ଟଙ୍କାରେ ନିର୍ମାଣ କରାଯାଇଥିଲା । ସୂଚନା ଥାଉକି ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି ଷ୍ଟୁଡିଓକୁ ଭାଙ୍ଗିବାକୁ କିରିଟ ସୌମ୍ୟା ୨ବର୍ଷ ହେବ କୋର୍ଟରେ ଅଭିଯୋଗ କରିଆସୁଥିଲେ । ସୂଚନା ମୁତାବକ କିରିଟ ସୌମ୍ୟା ମଲାଡ ଅଞ୍ଚଳରେ ଥିବା ୪୯ଟି ବେଆଇନ ଷ୍ଟୁଡିଓ ଓ ୨୨ଟି ବେଆଇନ ବଙ୍ଗଳାକୁ ଉଚ୍ଛେଦ କରିବା ପାଇଁ ବିଏମସି ନିଟକରେ ଦାବି କରିଥିଲେ । ହେଲେ ମହାରାଷ୍ଟ୍ରରେ ଶିବସେନା ସରକାର ଥିବାରୁ ଏସବୁ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନଥିଲା ବୋଲି ସେ ଅଭିଯୋଗ କରୁଥିଲେ । ହେଲେ ଏବେ ବିଜେପି ସରକାର ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଖୁସି ଜାହିର କରିଛନ୍ତି ଏହି ବିଜେପି ନେତା ।

ନିକଟରେ ଏହି ଷ୍ଟୁଡୁଓରୁ ସୁଟିଂ ହୋଇଥିବା ଉଭୟ ଫିଲ୍ମ ‘ରାମ ସେତୁ’ ଓ ‘ଆଦିପୁରୁଷ’ ବକ୍ସ ଅଫିସରେ ଧମାଲ ମଚାଇଥିଲା । ‘ରାମ ସେତୁ’ରେ ନାୟକ ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟର ନିଖୁଣ ଜଲଓ୍ବା ଦେଖାଇ ବେଶ୍ ପ୍ରସଂଶିତ ହୋଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା। ସେହିପରି ସୁପରଷ୍ଟାକ ପ୍ରଭାସଙ୍କ ଅଭିନୀତ   ଫିଲ୍ମ ‘ଆଦିପୁରୁଷ’ ପୋଷ୍ଟର ନିକଟରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଦ୍ବିତୀୟ ପୋଷ୍ଟର୍‌ ବି ରିଲିଜ୍ ହୋଇସାରିଛି। ଭଗବାନ ଶ୍ରୀରାମଙ୍କ ସର୍ବୋଚ୍ଚ ଭକ୍ତ ବଜରଙ୍ଗବାଲୀଙ୍କୁ ରଖି ପୋଷ୍ଟ୍‌ର ରିଲିଜ୍‌ କରିଛନ୍ତି ନିର୍ମାତ‌ା। ପୋଷ୍ଟରରେ ଦେବଦତ୍ତ ନାଗେଙ୍କୁ ହନୁମାନଙ୍କ ବେଶରେ ପ୍ରଦର୍ଶନ କରାଯାଇଛି। ହନୁମାନ ଜୟନ୍ତୀ ଅବସରରେ ନିର୍ମାତା ଏହି ପୋଷ୍ଟର୍‌ ରିଲିଜ୍‌ କରିଛନ୍ତି। ହନୁମାନଙ୍କ ଏହି ପୋଷ୍ଟର୍‌ରେ ଶକ୍ତି, ଦୃଢ଼ତା ଓ ନିଷ୍ଠାପରତାକୁ ଦର୍ଶାଯାଇଛି। ପୋଷ୍ଟର୍‌ରେ ହନୁମାନ ହାତ ଯୋଡ଼ି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଅରାଧନା କରୁଥିବାର ଦେଖିବାକୁ ମିଳିଛି। ଅଭିନେତା ପ୍ରଭାସ ଏହି ପୋଷ୍ଟର୍‌ଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିବା ବେଳେ ହନୁମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ଳୋକ ଲେଖିଛନ୍ତି। ଏହି ନୂଆ ପୋଷ୍ଟର୍‌କୁ ଦେଖିବା ପରେ ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

Leave A Reply

Your email address will not be published.