ଦିନକ ପରେ ମାଟ୍ରିକ ପରୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିନକ ପରେ ମାଟ୍ରିକ ପରୀକ୍ଷା ।   ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ତତ୍ପର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ।

ଏହାଦ୍ୱାରା କପିକୁ ରୋକି ହେବ ବୋଲି ଟାର୍ଗେଟ ରଖାଯାଇଛି। ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ଅଧିକ ସମ୍ବେଦନଶୀଳ କେନ୍ଦ୍ରଗୁଡକରେ ସିସିଟିଭି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନସି(ଏଆଇ) ମାଧ୍ୟମରେ ସ୍କୁଲରେ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ। ନୋଡାଲ ସେଣ୍ଟର ଗୁଡିକରେ ସିଧାପ୍ରସାରଣ(ଲାଇଭ ଟେଲିକାଷ୍ଟ) ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ କେନ୍ଦ୍ର ଗୁଡିକରେ ଅସ୍ଥାୟୀ ଭାବରେ କ୍ୟାମେରା ଲଗାଯାଇଥିବା ସହ ପୂର୍ବରୁ ଲାଗିଥିବା କ୍ୟାମେରାଗୁଡିକ ରେକଡିଂ ରଖିବାକୁ କୁହାଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି।

ଆସନ୍ତା କାଲିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍‌କୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ। ପୂର୍ବାହ୍ନ ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ।

କେବଳ ସେତିକି ନୁହେଁ ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ। ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.