ହାତୀ ପାଇଁ ଜନଶୂନ୍ୟ କାଳିଆପାଣି ଗାଁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଘାଟି ଉପରେ ଥିବା କାଳିଆପାଣି ଗ୍ରାମର ଲୋକେ ହାତୀ ପାଇଁ ବିସ୍ଥାପିତ ହୋଇଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଗାଁ ଛାଡ଼ି ଏବେ ପଡ଼ୋଶୀ ଗ୍ରାମରେ ଆଶ୍ରୟ ନେଇଛନ୍ତି। ହାତୀପଲ ବାରମ୍ବାର ଘର ଭାଙ୍ଗିବା ପରେ ଗ୍ରାମବାସୀ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡ଼ିଥି‌ଲେ ମଧ୍ୟ ଏଯାଏ କୌଣସି କ୍ଷତିପୂରଣ ପାଇନାହାନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଘାଟି ଉପରେ ରହିଛି କାଳିଆପାଣି ଗାଁ। ଏହି ଗାଁରେ ୧୨ଟି ଆଦିବାସୀ ପରିବାର ରହୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ପୋଡ଼ୁଚାଷ କରି ପେଟ ପୋଷୁଥିଲେ। କିଛିବର୍ଷ ଧରି ନିୟମିତ ଭାବେ ଏହି ଗାଁ ଉପରେ ହାତୀ ଉପଦ୍ରବ ଲାଗି ରହୁଥିଲା। ହାତୀପଲ ଲୋକଙ୍କୁ ଆକ୍ରମଣ କରିବା ସହ ଗାଁରେ ପଶି ଘରଦ୍ବାର ଭାଙ୍ଗୁଥିଲେ। ଲୋକେ ବହୁ କଷ୍ଟରେ ଘର ମରାମତି କରୁଥିଲେ। ଦେଢ଼ବର୍ଷ ତଳେ ହାତୀ ଗାଁରେ ପଶି ଆଦିବାସୀମାନଙ୍କ କୁଡ଼ିଆଘରକୁ ଭାଙ୍ଗିରୁଜି ମାଟିରେ ମିଶାଇଦେଲା। ସେହିଦିନଠାରୁ ସମସ୍ତ ପରିବାର ଗାଁ ଛାଡ଼ିଦେଲେ। ଗାଁଟି ମଣିଷଶୂନ୍ୟ ହୋଇଗଲା। ଏହି ଗାଁର ଲୋକମାନେ ନିକଟସ୍ଥ ଉପରଟାଙ୍ଗାପଡ଼ା ଗ୍ରାମ‌ରେ ନିଜର ବନ୍ଧୁବାନ୍ଧବଙ୍କ ଘରେ ରହୁଛନ୍ତି।

ଗାଁର ମୁରଲୀ ସନଙ୍ଗୀ ନିଜର ୭ ଜଣିଆ ପରିବାରଙ୍କୁ ଧରି ଟାଙ୍ଗରପଡ଼ା ଗାଁକୁ ଚାଲିଆସିବା ପରେ ପ୍ରଥମେ ନିଜର ସମ୍ପର୍କୀୟ ଭାଇଙ୍କ ଘରେ ମୁଣ୍ଡ ଗୁଞ୍ଜିଥିଲେ। ଏବେ ସେଠାରେ ସେ ସ୍ଥାୟୀ ଭାବେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ଭିଟାମାଟି କାଳିଆପାଣି ଗାଁକୁ ଆଉ ଯିବେ ନାହିଁ ବୋଲି ସ୍ଥିର କରିଛନ୍ତି। ସେହିପରି କାଳିଆପାଣି ଗାଁର କାଠିଆ ସନଙ୍ଗୀ, ଯତୀଶ ପଧ‌ାନ, ଜହ ପଧାନ, ନାଇନ ସନଙ୍ଗୀ, ନିର୍ମଳ ସନଙ୍ଗୀ, ସୁକ୍ତା ସନଙ୍ଗୀ, ନାଟୁ ପଧାନ, ଦାସ ସନଙ୍ଗୀ, ବିପିନ ପଧାନଙ୍କ ପରିବାର ମଧ୍ୟ ଏବେ ଉପରଟାଙ୍ଗରପଡ଼ା ଗ୍ରାମ‌ରେ ଆଶ୍ରୟ ନେଇଛନ୍ତି। ଏକଦା କାଳିଆପାଣି ଗ୍ରାମଟି ଏହି ଆଦିବାସୀ ପରିବାରଙ୍କୁ ନେଇ କୋଳାହଳପୂର୍ଣ୍ଣ ଥିଲା। ଲୋକେ ନିଜ ବାଡ଼ିବଗିଚାରେ ମକା, ବାଜରା, ରାଶି, ସୋରିଷ ଚାଷ କରୁଥିଲେ। ଗାଁକୁ ଓମ୍‌ବାଡ୍‌ସି ଅନୁଦାନରେ ପିଚୁରାସ୍ତା ନିର୍ମାଣ କରାଯିବା ସହ ସମସ୍ତଙ୍କ ଘରକୁ ‌ସୌରଆଲୋକ ଯୋଗାଇ ଦିଆଯାଇଥିଲା। ପିଇବା ପାଣି ପାଇଁ ପାହାଡ଼ ଉପରେ ଗଭୀର ନଳକୂଅ ବି ଖୋଳା ଯାଇଥିଲା। କିନ୍ତୁ ହାତୀପଲ ଏମିତି ଉପଦ୍ରବ କଲେ ଯେ ଗାଁ ଏବେ ଜନଶୂନ୍ୟ ହୋଇଯାଇଛି। ଗ୍ରାମବାସୀ ଘର ଛାଡ଼ି ଚାଲିଯିବା ପରେ ହାତୀପଲ ବାକି ସମସ୍ତ ଘରକୁ ଭାଙ୍ଗି ଦେଇଛନ୍ତି। ଏହି ଗାଁରେ ଏବେ ଗୋଟିଏ ଘର ଦେଖିବାକୁ ମିଳୁନାହିଁ। ଏ ସମ୍ପର୍କରେ ମୁରଲୀ ସନଙ୍ଗୀ କୁହନ୍ତି, ଭିଟାମାଟି ଛାଡ଼ିବାକୁ ଇଚ୍ଛା ନଥିଲା। କିନ୍ତୁ ଜୀବନ ବଞ୍ଚାଇବାକୁ ଆମେ ଗାଁ ଛାଡ଼ିଛୁ।

Leave A Reply

Your email address will not be published.