ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଦସ୍ୟତା ରଦ୍ଧ ପରେ ପ୍ରଥମ ଥର ପାଇଁ ୱାୟାନାଡରେ ଭଉଣୀ ପ୍ରିୟଙ୍କା ସହ ବିଶାଳ ରୋଡ ଶୋ । ଏହି ଶୋରେ ଇମୋସନାଲ କାର୍ଡ ଖେଳିଛନ୍ତି ରାହୁଲଙ୍କ ଭଉଣୀ ପ୍ରିୟଙ୍କା । ସେ କହିଛନ୍ତି ଯେ, ମୋ ଭାଇ ରାହୁଲଙ୍କ ଘରେ ଯେତେବେଳେ ମୁଁ ଆସବାବପତ୍ର ପ୍ୟାକ୍ କରୁଥିଲି, ଭାବୁଥିଲି ଯେ କିଛି ବର୍ଷ ପୂର୍ବେ ମୋ ପିଲା ଏବଂ ସ୍ୱାମୀ ମୋତେ ମୋ ଘର ବଦଳାଇବାରେ ସାହାଯ୍ୟ କରିଥିଲେ, କିନ୍ତୁ ମୋ ଭାଇକୁ ସାହାଯ୍ୟ କରିବାକୁ ତାଙ୍କ ପରିବାର ନାହିଁ । ପ୍ରିୟଙ୍କା ଜନସଭାରେ ଜୋର ଦେଇ କହିଛନ୍ତି ଯେ, ମୋ ଭାଇ ଦୁନିଆର ସବୁଠାରୁ ସଚ୍ଚୋଟ ବ୍ୟକ୍ତି, ଯିଏ ଖୁଲମଖୁଲା କହିଥାଏ ଓ କାହାକୁ ଡ଼ରିନଥାଏ । ୱାୟାନାଡରେ ଲୋକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ,’ଆପଣ ଜାଣିଛନ୍ତି ଯେ, ସେ(ରାହୁଲ) ସବୁଠାରୁ ସଚ୍ଚୋଟ ବ୍ୟକ୍ତି । ସେ କାହାକୁ ଡରନ୍ତି ନାହିଁ ଶାସନରେ ବସିଥିବା ଶକ୍ତିମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସିଏ ସେମିତି ଅତୁଟ ହୋଇ ରହିଛି । ସେ ଆପଣଙ୍କ ସଂଘର୍ଷକୁ ବୁଝିଛି, ଆପଣଙ୍କ ପାଇଁ କାମ କରିଛନ୍ତି, ଆପଣଙ୍କ ସହ ଠିଆ ହୋଇଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ଯେତେବେଳେ ରାହୁଲଙ୍କ ସାଂସଦ ପଦ ଚାଲିଗଲା, ସେ ୱାୟାନାଡକୁ ନିଜ ଆସବାବପତ୍ର ପ୍ୟାକିଂ କରିବାକୁ ଆସିଥିଲେ । ମୁଁ ମୋ ଭାଇର ଜିନିଷପତ୍ର ପ୍ୟାକିଂ କଲି । ମୋ ପାଖରେ ତ ସାହାଯ୍ୟ ପାଇଁ ମୋ ସ୍ୱାମୀ, ପିଲାମାନେ ଥିଲେ । ସେ ଏକୁଟିଆ ବସିଥିଲେ । ଉଲ୍ଲେଖ ଥାଉ କି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ଗତ ମାସରେ ୱାୟାନାଡର ସାଂସଦ ଭାବରେ ଅଯୋଗ୍ୟ ହୋଇଥିଲେ। ଏହା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ସେ ତାଙ୍କ ସରକାରୀ ବାସଭବନ ଖାଲି କରି ତାଙ୍କ ମା ସୋନିଆ ଗାନ୍ଧୀଙ୍କ ବାସଭବନକୁ ଚାଲିଯାଇଥିଲେ ।
ସଦସ୍ୟ ପଦ ଯିବା ପରେ ସୁରଟ ତଳ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭଉଣୀ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ସାଙ୍ଗରେ ନେଇ ବିରାଟ ପଟୁଆରରେ ଯାଇ କୋର୍ଟରେ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛଥିଲେ ରାହୁଲ । ତେବେ କୋର୍ଟ ରାହୁଲଙ୍କ ଆବେଦନକୁ ଗ୍ରହଣ କରିବା ସହ ଏପ୍ରିଲ ୧୩ ପର୍ଯ୍ୟନ୍ତ ତାଙ୍କୁ ଜାମିନ ଦେଇଛନ୍ତି । କିନ୍ତୁ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇନାହାନ୍ତି ଏବଂ ମେ ୩କୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ ଏହି ଶକ୍ତି ପଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ମାର୍ଚ୍ଚ ୨୩ରେ ମୋଦୀ ସରନେମ ମାମଲାରେ ତଳ କୋର୍ଟଙ୍କ ସଜାକୁ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ଆଉ ସଜାର ୧୧ ଦିନ ପରେ ୩ ମୁଖ୍ୟମନ୍ତ୍ରୀ ଯଥା ଭୁପେଶ ବାଘେଲ, ସୁଖବିନ୍ଦର ସିଂ ସୁଖୁ ଏବଂ ଅଶୋକ ଗେହଲଟଙ୍କୁ ଧରି ସୁଟର ଜିଲ୍ଲା ସେସନ୍ସ କୋର୍ଟରେ ପହଞ୍ଚିଥିଲେ ରାହୁଲ । ଖାଲି ସେତିକି ନୁହେଁ, ସାଙ୍ଗରେ ବି ଥିଲେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ଦିଗବିଜୟ ସିଂ ଓ ଆନନ୍ଦ ଶର୍ମା । ବିରାଟ ପଟୁଆରରେ ଆସି ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ରାହୁଲ ଟ୍ୱିଟ କରି ଲେଖିଛନ୍ତି ‘ଏହା ‘ମିତ୍ରକାଳ’ ବିରୋଧରେ ଗଣତନ୍ତ୍ରକୁ ବଞ୍ଚାଇବାର ଲଢେଇ । ଏହି ସଂଘର୍ଷରେ ସତ୍ୟ ହିଁ ମୋର ଅସ୍ତ୍ର ଓ ସତ୍ୟ ହିଁ ମୋର ସାହାରା ।’