ପରିବାରର ୪ଜଣଙ୍କୁ ହରାଇ ଗଭୀର ମାନସିକ ଆଘାତରେ ନାବାଳକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲାଙ୍ଗିର ପାଟଣାଗଡ କାନୁଟଗାଁର ସିଲିଣ୍ଡର ଗ୍ୟାସ ବିସ୍ପୋରଣ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୋଟିଏ ପରିବାରର ୪ଜଣଙ୍କ ବିୟୋଗ ପରେ ଦୁଃଖରେ ମ୍ରିୟମାଣ ନାବାଳକ ଆତ୍ମହତ୍ୟା କରିଦେଇଛି। ବଡ଼ ହୃଦୟ ବିଦାରକ ଏ ଦୃଶ୍ୟ। ମା’କୁ ହରାଇ ପୁଅ ଏକଦମ ଭାଙ୍ଗିପଡିଥିଲା। ଶେଷରେ ମା’ର ଶାଢିରେ ଝୁଲିପଡି ଜୀବନ ହାରିଛି ପୁଅ। ମୃତ ନାବାଳକ ଜଣଙ୍କ ହେଲେ ଦ୍ରୋଣ ମହାକୁଡ଼। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଗତ ୧୦ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁର ଉପରପଡ଼ାରେ ରହୁଥିବା ଅଦା ବରିହାଙ୍କ ପରିବାରର ୬ ଜଣ ସଦସ୍ୟ ବସି ଟିଭି ଦେଖୁଥିଲେ। ସେହି ସମୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଥିଲେ। ତୁରନ୍ତ ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୨ ତାରିଖରେ ଜଣଙ୍କ ଜିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ଗତକାଲି ରାଉରକେଲାର ଏକ ଘରୋଇ ମେଡିକାଲରେ ଦ୍ରୋଣଙ୍କ ମା’ମାଳତିଙ୍କର ମୃତ୍ୟୁ ହୋଇଥିଲା। ହେଲେ ମେଡିକାଲରେ ଚିକିତ୍ସା ବାବଦକୁ ଟଙ୍କା ପଇଠ ହୋଇ ନଥିବାରୁ ମୃତଦେହ ଘରକୁ ଆସିପାରିନଥିଲା। ପାଖରେ ଟଙ୍କା ନଥିବାରୁ ଚିନ୍ତାରେ ଥିଲେ ପୁଅ ଦ୍ରୋଣ।  ଗାଁର ଯୁବକମାନେ ମୃତଦେହ ଆଣିବା ପାଇଁ ଚାରିଆଡେ ବୁଲି ଭିକ୍ଷ ମାଗିଥିଲେ। ଏହି ସବୁ ଦେଖି କଅଁଳ ବୟସରେ ଭାଙ୍ଗିପଡ଼ିଥିଲା ଦ୍ରୋଣ।ଆଜି ସକାଳେ ନିଜ ମା’ର ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀ ଏହି ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଦ୍ରୋଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.