ଦୃଢ ଇଚ୍ଛାଶକ୍ତି ପାଖରେ ହାରମାନେ ପ୍ରତିବନ୍ଧକ, ଗୋଟେ ଗୋଡ଼ ହରାଇଥିଲେ ବି ୨ କିମି ପାହାଡ଼ ରାସ୍ତା ଡେଇଁଡେଇଁ ସ୍କୁଲ ଯାଉଛନ୍ତି ଯୁବକ
କଶ୍ମୀର (ଓଡ଼ିଆ ନ୍ୟୁଜ୍): ଦୃଢ ଇଚ୍ଛାଶକ୍ତି ପାଖରେ ହାରମାନେ ପ୍ରତିବନ୍ଧକ । ଏକଥାକୁ ସତ ବୋଲି ପ୍ରମାଣିତ କରିଛନ୍ତି କଶ୍ମୀର ହନ୍ଦଓ୍ୱାଡ଼ାର ପରଭେଜ । ୧୪ ବର୍ଷୀୟ ପରଭେଜଙ୍କ ଉପରେ ପିଲାଟି ବେଳୁ ଲଦି ହୋଇଛି ଦୁଃଖର ପାହାଡ଼ । ଦୁର୍ଘଟଣାରେ ସେ ନିଜର ଏକ ଗୋଡ଼ ହରାଇ ସାରିଥିବା ସତ୍ତ୍ୱେ କେବେ ହାର ମାନି ନାହାନ୍ତି। ନିଜ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଗୋଟିଏ ଗୋଡ଼ରେ ଦିନକୁ ୨ କିମି ପାହାଡ଼ ପର୍ବତ ଘେରା ରାସ୍ତା ଚାଲି ଚାଲି ସ୍କୁଲ ଯାଉଛନ୍ତି । ପରଭେଜ ନୌଗାମର ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଦୁର୍ଘଟଣାରେ ସେ ଗୋଟିଏ ଗୋଡ଼ ହରାଇ ସାରିଥିବା ବେଳେ ଏବେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପ୍ରତିଦିନ ସ୍କୁଲ ଯାଉଛନ୍ତି। ପ୍ରତିଦିନ ଦୁଇ କିଲୋମିଟର ପାହାଡ଼ ପର୍ବତ ଘେରା ଅଞ୍ଚଳରେ ବିପଦଜନକ ଅବସ୍ଥାରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ବେଳେ ଏଥିନିମନ୍ତେ ପ୍ରବଳ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଥିବା ସେ କହିଛନ୍ତି। ତେବେ ସରକାର ଏକ କୁତ୍ରିମ ଗୋଡ଼ ଯୋଗାଇ ଦେଲେ ନିଜ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ତାଙ୍କ ନିମନ୍ତେ ସହଜ ହୋଇପାରନ୍ତା ବୋଲି କହିଛନ୍ତି ପରଭେଜ ।
ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ପରଭେଜ ଅନ୍ୟ ପିଲାଙ୍କ ପରି କବାଡି, ଭଲିବଲ, କବାଡି ଖେଳିବାକୁ ଭଲ ପାଆନ୍ତି। ଏନେଇ ସେ କହିଛନ୍ତି, ମୋ ସାଙ୍ଗମାନେ ନିଜର ୨ ଗୋଡ଼ରେ ସ୍ୱାଭାବିକ ଭାବେ ଚାଲବୁଲ ଓ ଖେଳକୁଦ କରି ପାରୁଥିବା ବେଳେ ମୋ ଅବସ୍ଥା ମୋତେ ଖୁବ୍ କଷ୍ଟ ଦେଉଛି। ହେଲେ ମୋତେ ଶକ୍ତି ପ୍ରଦାନ କରୁଥିବାରୁ ଆହ୍ଲାଙ୍କୁ ଧନ୍ୟବାଦ ଜଣାଉଛି। ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ମୋ ଭିତରେ ପ୍ରବଳ ଇଚ୍ଛା ରହିଛି। ମୁଁ ଆଶା ରଖିଛି ଯେ, ମୋ ଭବିଷ୍ୟତ ଗଢ଼ିବା ଦିଗରେ ସରକାର ମୋତେ ସାହାଯ୍ୟ କରିବେ।