ଦୁର୍ଘଟଣା ନା ଷଡ଼ଯନ୍ତ୍ର? ପ୍ରଶ୍ନ ଉଠାଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇଷ୍ଟକୋଷ୍ଟ ରେଲୱେର ଭିତିଭୂମିର ବିକାଶ ନନେବାରୁ ଦୁର୍ଘଟଣା ଘଟିଛି । ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏପରି କହିଛି ରାଜ୍ୟ କଂଗ୍ରେସ । ଆଉ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେହିପରି ରେଳମନ୍ତ୍ରୀ ଗତକାଲି ସକାଳେ କହିଥିଲେ ଦୁର୍ଘଟଣାର କାରଣ ଜଣାପଡିଛି । ଦୋଷୀ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସଂଧ୍ୟାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଥିବା କହିଛନ୍ତି ରେଳମନ୍ତ୍ରୀ । ତେଣୁ ଏହା ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ପିସିସି ସଭାପତି । ସେହିପରି ରେଳ ସୁରକ୍ଷାରେ ସିଏଜି ଦେଇଥିବା ରିପୋର୍ଟକୁ ନେଇ ବର୍ଷିଛି କଂଗ୍ରେସ ।

ଦୁର୍ଘଟଣା ଓ ଲାଇନଚ୍ୟୁତ ଭଳି ଘଟଣାକୁ ରୋକିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସିଏଜି କହିଥିଲା । ତେଣୁ ସରକାର କାହିଁକି ପଦକ୍ଷେପ ନେଇନଥିଲେ ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରଶ୍ନ କରିବା ସହିତ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକା ଗସ୍ତରେ ଥିବା ଏହି ନେତା ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, କଂଗ୍ରେସ ସରକାର ବେଳେ ଟ୍ରେନ ଦୁର୍ଘଟଣା ହେଲେ ମନ୍ତ୍ରୀ ମାନେ ଉତ୍ତରଦାୟିତ୍ୱ ନେଉଥିଲେ ଏବଂ ଇସ୍ତଫା ଦେଉଥିଲେ । ଏବେ କିନ୍ତୁ ଉତରଦାୟିତ୍ୱ କେହି ନେଉ ନାହାନ୍ତି । ସେହିପରି କଂଗ୍ରେସ କେବେ ଟ୍ରେନ ଦୁର୍ଘଟଣାକୁ ନେଇ ବ୍ରିଟିଶ ସରକାରକୁ ଦାୟୀ କରେନି ।

Leave A Reply

Your email address will not be published.