ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ହୋଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ମସିହା ଜୁଲାଇ ମାସରେ ଓଡ଼ିଶାରେ ରାସ୍ତା ଦୁର୍ଘଟଣାରେ ୩୯୯ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୦୨୨ ଜୁଲାଇ ମାସରେ ଏହି ସଂଖ୍ୟା ୩୮୩ କୁ ଖସିଛି। ଯାହାକି ୪.୦୧ ପ୍ରତିଶତ ଖସିଥିବା ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମକୁ କଡାକଡି ଲାଗୁ କରାଯାଇ ଥିବାରୁ ମୃତ୍ୟୁ ହାର କମିଥିବା ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି।
୨୦୨୧ ମସିହାର ପ୍ରଥମ ତିନିମାସ ତୁଳନାରେ ୨୦୨୨ ମସିହାରେ ପ୍ରଥମ ତିନି ମାସରେ ଦୁର୍ଘଟଣା ସଂଖ୍ୟା ହ୍ରାସ ହୋଇଛି। କିନ୍ତୁ ୨୦୨୧ ମସିହାର ଦ୍ୱିତୀୟ ତିନିମାସ ଲକ ଡାଉନ ଥିବାରୁ ୨୦୨୨ ଦ୍ୱିତୀୟ ତିନିମାସ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଥିବାର ରେକର୍ଡ କରାଯାଇଛି। ରାଜ୍ୟରେ ଏନଫୋର୍ସମେଣ୍ଟ କଡାକଡି କରାଯାଇ ଥିବାରୁ ଏହାର ସୁଫଳ ମିଳିଥିବା ସେ କହିଛନ୍ତି। ୨୦୨୧ – ୨୨ ଆର୍ଥିକ ବର୍ଷରେ ମୋଟ ୨ ଲକ୍ଷ ୪୭ ହଜାର ୯୪୫ ଇ ଚାଲାଣ ହୋଇଥିଲା ବେଳେ ଗତ ଏପ୍ରିଲ ରୁ ସେପ୍ଟେମ୍ବର ମାତ୍ର ୬ ମାସ ମଧ୍ୟରେ ୨ ଲକ୍ଷ ୮୬ ହଜାର ୬୮୨ ଇ ଚାଲାଣ କରାଯାଇଛି।