ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ୨୦୦୪ ଫେବ୍ରୁଆରୀ ୨୮ର ରିଜୋଲୁସନ ଅନୁଯାୟୀ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କର
ଓଡିଶା ନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ୨୦୦୪ ଫେବ୍ରୁଆରୀ ୨୮ର ରିଜୋଲୁସନ ଅନୁଯାୟୀ ସେହି ନିୟମ ଅନୁଯାୟୀ ଆସୁଥିବା ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିୟମିତ କର। ବ୍ରହ୍ମପୁରର ଶିକ୍ଷୟିତ୍ରୀ ହରପ୍ରିୟା ପାତ୍ର ଓ ଅନ୍ୟ ମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୋୖର ନିଗମ ଦ୍ୱାରା ପରିଚାଳିତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ସରକାରଙ୍କ ରିଜୋଲୁସନ ଅନୁଯାୟୀ ୨୦୦୪ ଫେବ୍ରୁଆରି ୨୮ ତାରିଖରୁ ନିୟମିତ କରିବା ସହ ସରକାରଙ୍କ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି ରିଜୋଲୁସନ ଅନୁଯାୟୀ ସୁନ୍ଦରଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାରେ ପୋୖର ନିଗମ ଦ୍ୱାରା ପରିଚାଳିତ ପରବର୍ତ୍ତୀ ସମୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଯାଇଥିବା ୨୨୦ ଜଣଙ୍କୁ ନିୟମିତ କରାଯାଇଛି। ତେବେ ଏଥିରୁ ଅନ୍ୟ କେତେଜଣ ବାଦ ପଡି ଯାଇଥିଲେ।
ହରପ୍ରିୟା ପାତ୍ର ବିଏ ବିଇଡି ଶିକ୍ଷାଗତ ଯୋଗ୍ୟତା ଥାଇ ବ୍ରହ୍ମପୁରର ଏମପିଏଲ ବାଳିକା ବିଦ୍ୟାଳୟରେ ଟ୍ରେନଡ଼ ଗ୍ରାଜୁଏଟ ଟିଚର ଭାବେ ୧୯୯୪ ମସିହା ଜାନୁଆରୀ ୨୪ ତାରିଖରେ ନିଯୁକ୍ତି ପାଇଥିଲେ। ସେତେବେଳେ ପୌର ନିଗମରୁ ମାସିକ ୨୦୦୦ ଲେଖାଏ ଦରମା ପାଉଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟରେ ଥିବା ଏଭଳି ସମସ୍ତ ପୌର ପରିଚାଳିତ ସ୍କୁଲ ସ୍କୁଲ ଗଣଶିକ୍ଷା ବିଭାଗ ଅଧୀନକୁ ଚାଲି ଯାଇଥିଲେ। ରାଜ୍ୟ ସରକାରଙ୍କ ସେହି ସମସ୍ତ ସ୍କୁଲରେ କାର୍ଯ୍ୟରତ କର୍ମଚାରୀଙ୍କର ୨୦୦୪ ଫେବ୍ରୁଆରି ୨୮ ତାରିଖରୁ ସରକାରଙ୍କ ରିଜୋଲୁସନ ନମ୍ବର ୪୯୪୨ ଅନୁଯାୟୀ ନିୟମିତ କରିଥିଲେ। ତେବେ ବାଦ ପଡି ଯାଇଥିବା କର୍ମଚାରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମେ ସ୍ୟାଟ ଓ ସ୍ୟାଟ ଉଛେଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହରପ୍ରିୟା ପାତ୍ରଙ୍କ ଭଳି ଏକାଧିକ ଆଗତ ପିଟିସନର ଏକତ୍ର ଶୁଣାଣି କରି ସେହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ୨୦୦୪ ଫେବ୍ରୁଆରୀ ମାସରୁ ନିୟମିତ କରାଇ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ।