ଦେଶରେ ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଯୁକ୍ତ ଅଭିଜିତ !

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏସଟିଏଫ୍ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେଙ୍କ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଓଟିପି ସେୟାରିଂର ସମ୍ବେଦନଶୀଳ ମାମଲାରେ ଆହୁରି ଅନେକ ଗୁମର ଫିଟିବାର ସମ୍ଭାବନା ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ), ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କାର୍ଡ (ଏଟିଏସ୍) ଓ ଗୁଇନ୍ଦାର ଏକ ଟିମ୍ ଭୁବନେଶ୍ୱରସ୍ଥିତ ଏସଟିଏଫ୍ ମୁଖ୍ୟାଳୟରେ ଅଭିଜିତଙ୍କୁ ଜେରା କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ପୁଣେରୁ ଅଭିଜିତ ସଞ୍ଜୟ ଜମ୍ବୁରେଙ୍କୁ ଏସଟିଏଫ୍ ଗିରଫ କରିଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱବିଦ୍ୟାଳୟରୁ ଷ୍ଟାଟିସଟିକ୍ସରେ ସ୍ନାତକ କରିଥିବା ଅଭିଜିତ୍ ପୁଣେର ଉଇପ୍ରୋ କମ୍ପାନୀରେ କାମ କରୁଥିଲେ।

ଅଭିଜିତ ସଞ୍ଜୟ ପାକିସ୍ତାନର କିଛି ଗୁଇନ୍ଦା ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ବୋଲି କୁହାଯାଉଛି। ଅଭିଯୁକ୍ତଙ୍କୁ ଜେରା ବେଳେ ଏଜେଣ୍ଟମାନଙ୍କ ନାଁର ଏକ ତାଲିକା ତଦନ୍ତକାରୀ ସଂସ୍ଥାକୁ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅଭିଜିତ ଯେଉଁ ଏଜେଣ୍ଟମାନଙ୍କୁ ଟଙ୍କା ପଠାଇଥିଲେ ସେମାନଙ୍କ ନାଁ ମଧ୍ୟ ଏନଆଇଏ ଆଗରେ ପ୍ରକାଶ କରିଛନ୍ତି। ସେ ପ୍ରାୟ ୧୦୦ ଜଣ ଏଭଳି ଏଜେଣ୍ଟଙ୍କ ସହ ସମ୍ପର୍କ ରଖିଥିବା ମଧ୍ୟ ସ୍ୱୀକାର କରିଛନ୍ତି। ପ୍ରାୟ ସମସ୍ତ ଏଜେଣ୍ଟ ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମୀରର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ବାସିନ୍ଦା ବୋଲି ଜଣାପଡ଼ିଛି। ସେପଟେ ଆଜି ରିମାଣ୍ଡର ଶେଷ ଦିନରେ ଅଭିଜିତଙ୍କୁ ହନିଟ୍ରାପିଂ, ଟେରର ଲିଙ୍କ ଓ ଟେରର ଫଣ୍ଡିଂ ସମେତ ଅନେକ ଦିଗକୁ ନେଇ ଏସଟିଏଫ୍ ପଚରାଉଚରା କରିଛି।

Leave A Reply

Your email address will not be published.