ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଅଭିନେତା ଅକ୍ଷୟ କୁମାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଶ୍ନ ଉଠୁଛି, ରାଜନୀତିରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର? ଲଢିବେ କି ୨୦୨୪ ଲୋକସଭା ନିର୍ବାଚନ? ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଆଜି ସ୍ୱାଧୀନତା ଦିବସରେ ଭାରତୀୟ ନାଗରିକତା ମିଳିବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଆଲୋଚନା ହେଉଛି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ଅକ୍ଷୟ କୁମାର ରାଜନୀତିକୁ ଏଣ୍ଟ୍ରି ମାରିବା ସହିତ ଲୋକସଭା ନିର୍ବାଚନ ଲଢିପାରନ୍ତି । ହେଲେ ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅକ୍ଷୟ କୁମାର ।
ଜାତୀୟ ଗଣମାଧ୍ୟମକୁ ଅକ୍ଷୟ ଦେଇଥିବା ପ୍ରତିକ୍ରିୟା ମୁତାବକ, ସେ ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ରଖିନାହାଁନ୍ତି । ତେବେ ସେ ଏପରି କିଛି ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ଯାହାକି ଦେଶ ପାଇଁ ଭଲ ନାଗରିକ ସୃଷ୍ଟି କରିବ । ତେବେ ଏଥିସହିତ ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି ଯେ, ସେ ରାଜନୀତିରେ ଏଣ୍ଟ୍ରି କରିବାକୁ ଇଚ୍ଛୁକ ନୁହଁ, ସେ ଫିଲ୍ମ ତିଆରି କରି ଖୁସି ଅଛନ୍ତି ବୋଲି ଅକ୍ଷୟ କୁମାର କହିଛନ୍ତି । ପୂର୍ବରୁ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ତେବେ ଆଗକୁ ସେ ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।