ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଦ ସାମ୍ରାଜ୍ୟ ଉପରେ ଚାଲିଥିବା ଆୟକର ଚଢ଼ାଉ ସରି ନଥିଲେ ମଧ୍ୟ ଜବତ ଟଙ୍କା ଗଣତି ସରିଲା । ରବିବାର ରାତିରେ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କରେ ୪ଦିନ ଧରି ହୋଇଥିବା ଗଣତି ଶେଷ ପରେ ୩୦୫ କୋଟି ଟଙ୍କା ଜବତ କରାଯାଇଛି । ସେହିପରି ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ଟଙ୍କା, ଟିଟିଲାଗଡରୁ ୧୧କୋଟି, ସୁନ୍ଦରଗଡ଼ରୁ ୯୦ଲକ୍ଷ ଟଙ୍କା ଜବତ ହୋଇଛି ।ଗତ ପାଞ୍ଚ ଦିନ ଧରି ବଲାଙ୍ଗୀର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଗଣତି ଜାରି ରହିଥିଲା।
ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସଂଗୀତା ସିଂହଦେଓ । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ଅଜାଣତରେ ଏତେ ବଡ଼ କାରବାର ବର୍ଷ ବର୍ଷ ଧରି ଚାଲିବା ସମ୍ଭବ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ । ଏଥିସହ ସିବିଆଇ ଓ ଇଡ଼ି ତଦନ୍ତ ଦାବି କରିଛନ୍ତି । ଗତକାଲି(ରବିବାର) ରାତି ସୁଦ୍ଧା ସମସ୍ତ 176 ଟଙ୍କା ଭର୍ତ୍ତି ବ୍ୟାଗର ଗଣତି ପ୍ରାୟତଃ ଶେଷ ହୋଇଥିଲା । ହେଲେ ଏହି ସବୁର ହିସାବ ଏଯାଏଁ ହୋଇ ପାରି ନାହିଁ । ଯାହାଫଳରେ ଏଯାଏଁ ଟଙ୍କାର ପରିମାଣ କିମ୍ବା ସଂଖ୍ୟା ସଠିକ ଜଣା ପଡିନାହିଁ । ଏହି ପ୍ରକ୍ରିୟାକୁ ଆହୁରି କିଛି ଦିନ ଲାଗିବ ଓ ହିସାବ ପରେ କେତେ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ ହେବ ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜବତ ଟଙ୍କା ଶହଶହ କୋଟି ହୋଇ ପାରେ ଏପରିକି ଏହା ତିନି ଶହ କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ଟଙ୍କା ସହ 60 କେଜି ସୁନା ମଧ୍ୟ ଜବତ ହୋଇଥିବାର ସୂଚନା ମିଳିଛି । ଯାହା ଏଯାଏଁ ସ୍ପଷ୍ଟ ହୋଇନ ଥିଲେ ମଧ୍ୟ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏ ବିଷୟରେ ଆଇଟି ବିଭାଗ କିମ୍ବା ବ୍ୟାଙ୍କ ଅଧିକାରୀ ଏଯାଏଁ କୌଣସି ସୂଚନା ଦେଇ ନାହାନ୍ତି।