ଓଡିଆ ନ୍ୟୁଜ୍(ବ୍ୟୁରୋ): ବଢୁଛି ନବୀନଙ୍କ ଲୋକପ୍ରିୟତା । ସ୍କଚ୍ ଗଭର୍ଣ୍ଣାନ୍ସ ରିପୋର୍ଟ କାର୍ଡ ୨୦୨୧ରେ ଦେଶର ଶ୍ରେଷ୍ଠ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ । ଗତବର୍ଷ ସେ ଅଷ୍ଟମ ସ୍ଥାନରେ ଥିଲେ । ବର୍ଷକ ପରେ ତୃତୀୟ ସ୍ଥାନକୁ ଉଠିଛନ୍ତି ନବୀନ ପଟ୍ଟନାୟକ । ପୂର୍ବାପେକ୍ଷା ସାଉଁଟିଛନ୍ତି ଅଧିକ ଆଦର ଓ ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ତାଙ୍କୁ ଲୋକପ୍ରିୟ କରାଉଛି ।
ରାଜ୍ୟର ପ୍ରଦର୍ଶନକୁ ନେଇ ବିରୋଧୀ ଯେତେ ଅଭିଯୋଗ କଲେ ବି ଦକ୍ଷତା ଭିତ୍ତିକ ରିପୋର୍ଟ କାର୍ଡ ସତ ବଖାଣିଛି । ଗତ ବର୍ଷ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ୮ ନମ୍ବର ସ୍ଥାନରେ ଥିଲେ ବି ବର୍ଷକ ଭିତରେ ତିନି ନମ୍ବର ସ୍ଥାନକୁ ଲମ୍ଫ ଦେଇଛନ୍ତି । ନିକଟରେ ଜଗନ ଓ ମମତା ନିର୍ବାଚନ ଜିତିଥିବାରୁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ନମ୍ବର ଓ ଦୁଇ ନମ୍ବର ସ୍ଥାନରେ ଅଛନ୍ତି । କିନ୍ତୁ କ୍ରମାଗତ ଭାବେ ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନିଜ ଲୋକପ୍ରିୟତାକୁ ବଜାୟ ରଖିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ ।

ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି ବିଜେଡି । ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ହାସଲ କରିଛି ବିଜୁ ଜନତା ଦଳ । କିଛି ସପ୍ତାହ ତଳେ ଇଣ୍ଡିଆ ଟୁଡେର ମୁଡ ଅଫ୍ ଦି ନେସନ ସର୍ଭେରେ ଦେଶରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିଲେ ନବୀନ ପଟ୍ଟନାୟକ । ସର୍ବାଧିକ ୭୧ ପ୍ରତିଶତ ଭୋଟ ସହ ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସ୍କଚ୍ ଗଭର୍ଣ୍ଣାନ୍ସ ରିପୋର୍ଟ କାର୍ଡ ୨୦୨୧ ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟର ପୋଲିସ ଓ ସୁରକ୍ଷା, କୃଷି, ଖଣିଜ, ଅର୍ଥ ଓ ରାଜସ୍ୱ, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ ବିକାଶ, ଇ-ଗଭର୍ଣ୍ଣାନ୍ସ ଆଦି କ୍ଷେତ୍ରକୁ ସମୀକ୍ଷା କରି ସ୍କଚ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି।