ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ ୨ ଅଭିଯୁକ୍ତ । ଏହା ସହିତ ଚୋରାଚାଲାଣ କରାଯାଉଥିବା ମ୍ୟାକ୍ସ ପିକ ଆପ ଭ୍ୟାନ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା କଇଠପଦା ଗ୍ରାମର ମଜେସ ଗମାଙ୍ଗ (୩୨) ଏବଂ ଗାଡି ଚଳାଉଥିବା ଗାଡି ମାଲିକ ଅଡବା ଥାନା ଅଞ୍ଚଳର ପାଲକୁଆ ଗ୍ରାମର ସୁନିଲ ମଲ୍ଲିକ (୨୮) । ଦୀର୍ଘ କିଛି ମାସର ବ୍ୟବଧାନରେ ପରେ ମୋହନା ପୋଲିସ ପାଇଛି ସଫଳତା। ଗୁରୁବାର ସକାଳେ ମୋହନା ଥାନା ଏସ୍ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ୍ ଏବଂ ତାଙ୍କ ଟିମ୍ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ, ମାଣିକପୁର, ଆକିଲି ନିକଟରେ ପାଟ୍ରୋଲିଂ କରୁଥିଲେ ।
ପାଟ୍ରୋଲିଂ କରିବା ବେଳେ ଆର ଉଦୟଗିରି ପଟୁ ବ୍ରହ୍ମପୁର ଅଭିମୁଖେ ଏକ ଧଳା ରଙ୍ଗର ମ୍ୟାକ୍ସ ପିକ ଆପ ଭ୍ୟାନ (OD-02-AP-4427) ଦ୍ରୁତ ଗତିରେ ଆସୁଥିବା ଦେଖି ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଗାଡି ନେଇ ଚାଲିଯାଇଥିଲେ । ହେଲେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କପୁରୀପଟା ଠାରେ ଅଟକାଇଥିଲା ।
ଗାଡିକୁ ଯାଞ୍ଚ କରାଯିବା ବେଳେ ଦୁଇଟି ବସ୍ତାରେ ପ୍ରାୟ ୬୩ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହିତ ଗାଡି ସହ ଗଞ୍ଜେଇକୁ ଜବତ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଆର.ଉଦୟଗିରି କିରାମା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିଲେ ବୋଲି ପୋଲିସ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି ।