ଦିଲ୍ଲୀ କ୍ୟାପିଟାଲ୍ସରୁ ଇସ୍ତଫା ଦେଲେ ଅଗରକର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଗୁରୁବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବି ଦୌଡ଼ରେ ଆଗରେ ଥିବା ଅଗରକରଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଓ ଅନ୍ୟ ସଦସ୍ୟଙ୍କୁ ଦିଆଯାଉଥିବା ଅନୁଦାନରେ ବୃଦ୍ଧି ହେବା ନେଇ ଆଶା କରାଯାଉଛି। ପୂର୍ବରୁ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଓ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଏବଂ ଜଣେ ଭାଷ୍ୟକାର ଭାବେ ବିସିସିଆଇ ବାର୍ଷିକ ଅନୁଦାନଠୁ ଅଧିକ ରୋଜଗାର କରୁଛନ୍ତି। ଏଥିସହ ଅଗରକରଙ୍କ ସହିତ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ୍‌ ୱାଟସନ୍‌ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଆଉ କାମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ତାହାର ଦରମା ପ୍ରଦାନ କରିବା ପଦ୍ଧତିରେ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି। ପୂର୍ବରୁ ଅଗରକର ୨୦୨୧ରେ ବିସିସିଆଇ ଚୟନକର୍ତ୍ତା ପାଇଁ ସାକ୍ଷାତକାର ଦେଇଥିଲେ। ସେତେବେଳେ ଉତ୍ତରାଞ୍ଚଳରୁ ଚେତନ ଶର୍ମା ପ୍ୟାନେଲ୍‌ ମୁଖ୍ୟ ଥିଲେ।

ସେହିପରି ଅଗରକରଙ୍କ ପୂର୍ବରୁ କନିଷ୍ଠ ଚୟନ ସମିତିରେ ୪ ବର୍ଷ କାର୍ଯ୍ୟ କରିସାରିଥିବାରୁ ତାଙ୍କ ପାଖରେ ଆଉ ବର୍ଷେ କାମ କରିବା ପାଇଁ ସମୟ ରହିଛି। ତଥାପି ଅଗରକରଙ୍କ ପାଖରେ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ଅଭିଜ୍ଞତା ଥିବାରୁ ତାଙ୍କ ପଲ୍ଲା ଭାରି ରହିଛି। କିନ୍ତୁ ୨୦୨୧ ସାକ୍ଷାତକାର ସମୟରେ ମୁମ୍ବାଇ କ୍ରିକେଟ ସଂଘ ସହିତ ଅଗରକରଙ୍କ ସଂପର୍କ ଭଲ ନଥିବାରୁ ବିସିସିଆଇ ସାକ୍ଷାତକାରରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ଅନୁମାନ କରାଯାଉଛି। କିନ୍ତୁ ଏବେ ମୁମ୍ବାଇ ସଂଘ ସହିତ ଅଗରକରଙ୍କ କୌଣସି ସମସ୍ୟା ନାହିଁ। ଅନ୍ୟପକ୍ଷରେ ଦିଲୀପ ଭେଙ୍ଗସରକାର ଓ ରବି ଶାସ୍ତ୍ରୀ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ପାଇଁ ଅନ୍ୟତମ ଦାବିଦାର ଅଛନ୍ତି। କିନ୍ତୁ ସେମାନେ ଏହି ପଦବି ପାଇଁ ଆବେଦନ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.