ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାର ଭାଇ ଅଶରଫକୁ ଶନିବାର ବିଳମ୍ବିତ ରାତିରେ ପୋଲିସ କବଜାରେ ଗୁଳି କରି ହତ୍ୟା କରାଯାଇଥିଲା । ୩ ଜଣ ଯୁବକ ସାମ୍ବାଦିକ ଭାବେ ପୋଲିସର ନିକଟତର ହୋଇ ଆଖିବୁଜା ଗୁଳିମାଡ଼ କରିଥିଲେ । ପ୍ରାୟ ୧୮ ରାଉଣ୍ଡ ଫାୟାରିଂ ହୋଇଥିବା ବେଳେ ୮ଟି ଗୁଳି ଅତିକ ଅହମଦ ଦେହରେ ବାଜିଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ରବିବାର ଅପରାହ୍ଣରେ ଅତିକ ଓ ଅଶରଫର ପୋଷ୍ଟମର୍ଟମ ହୋଇଥିଲା । ଶବ ବ୍ୟବଛେଦ ରିପୋର୍ଟ ଅନୁସାରେ ଅତିକ ଦେହରେ ୮ଟି ଓ ଅଶରଫ ଶରୀରରେ ୫ଟି ଗୁଳି ବାଜିଛି । ପୋଷ୍ଟମର୍ଟମ ପରେ ଉଭୟଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅତିକର ମୁଣ୍ଡ, ବେକ, ଛାତି ଓ ପିଠିରେ ଗୁଳି ବାଜିଥିଲା । ସେପଟେ ଅତିକକୁ ହତ୍ୟା କରିଥିବା ୩ ଜଣଙ୍କ ପରିଚୟ ମିଳିଛି । ଲବଲେଶ ତିୱାରୀର ଘର ବାନ୍ଦାରେ ହୋଇଥିବା ବେଳେ କାସଗଞ୍ଜରେ ଅରୁଣ ମୌର୍ଯ୍ୟ ଓ ହମିରପୁର ଜନପଦରେ ତୃତୀୟ ଅଭିଯୁକ୍ତର ଘର । ଅତିକ ଓ ଅଶରଫକୁ ହତ୍ୟା ପରେ ୩ ଅଭିଯୁକ୍ତ ସଙ୍ଗେ ସଙ୍ଗେ ସରେଣ୍ଡର କରିଥିଲେ । ଘଟଣାସ୍ଥଳରୁ ୩ ଜଣଙ୍କୁ ପୋଲିସ ଗିରଫ କରିବା ସହ ୩ଟି ଯାକ ବନ୍ଧୁକ ଜବତ କରିଥିଲା । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମାଇକ୍, ଗୋଟିଏ କ୍ୟାମେରା ମିଳିଥିଲା । ହତ୍ୟାକାଣ୍ଡ ପରେ ପୂରା ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଅଣାଯାଉଥିବା ବେଳେ ତିନିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଅସରଫ ଓ ଅତିକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁହେଁ ଗଣମାଧ୍ୟମ ସହିତ କଥା ହେଉଥିବା ଦେଖିବାକୁ ମିଳିଛି। ତେବେ ଅତିକର ମୃତ ପୂର୍ବରୁ ଶେଷ ବାକ୍ୟ ଥିଲା। ‘ମୋତେ ନେଲେ ନାହିଁ, ତେଣୁ ମୁଁ ଗଲି ନାହିଁ।’ ଅତିକ ଓ ତା’ ଭାଇକୁ ଧୂମନଗଞ୍ଜ ଥାନାରୁ ମେଡିକାଲ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ହସ୍ପିଟାଲ ବାହାରକୁ ଅଣାଯିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଦୁହିଁଙ୍କୁ ଘେରିଯାଇ ପ୍ରଶ୍ନ କରିଥିଲେ। ଏହି ସମୟରେ ସୁଟରମାନେ ସାମ୍ବାଦିକ ବେଶରେ ସମ୍ମୁଖଭାଗରେ ରହି ଅତିକ ଓ ଅସରଫକୁ ଟାର୍ଗେଟ କରିଥିଲେ। ସାମ୍ବାଦିକମାନେ ଅତିକକୁ ପଚାରିଥିଲେ ତୁମେ ପୁଅର ଅନ୍ତିମ ସଂସ୍କାରରେ ଗଲ ନାହିଁ? ଏହାର ଉତ୍ତରେ ଅତିକ ପୁଲିସକୁ ଆକ୍ଷେପ କରି କହିଥିଲା, ‘ମୋତେ ନେଲେ ନାହିଁ ତେଣୁ ମୁଁ ଗଲି ନାହିଁ।’ ଅତିକ୍ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ସାମ୍ବାଦିକ ବେଶରେ ଥିବା ଜଣେ ସୁଟର ପ୍ରଥମ ଗୁଳି ଚଳାଇଥିଲା। ପୁଲିସ କିଛି ବୁଝିବା ପୂର୍ବରୁ ଅନ୍ୟ ସୁଟରମାନେ ଅତିକ ଓ ତା ଭାଇ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଦୁଇ ଭାଇ ଏଥିରେ ଟଳି ପଡ଼ିଥିଲେ।