୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିପାରେ ଅହମଦାବାଦ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୨୦୩୬ ମସିହାରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଗୁଜରାଟ ସରକାର ଏବେଠାରୁ ଭିତ୍ତିଭୂମି ନିର୍ମାଣରେ ଲାଗିପଡ଼ିଥିବା ବେ‌ଳେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଦୌଡ଼ରେ ଅପ୍ରତ୍ୟାଶିତ ଭାବେ ସାମିଲ ହୋଇଛି। ମଙ୍ଗଳବାର ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକ ଭିକ୍ଟୋରିଆ ଏଥିରୁ ଓହରିଯିବାରୁ ଅହମଦାବାଦ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ ଆସିଛି। ଖର୍ଚ୍ଚ ବଢ଼ିଯାଉଥିବାରୁ ଭିକ୍ଟୋରିଆ ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଧିକାରକୁ ହାତଛଡ଼ା କରିଛି। ଗୁଜରାଟ ସରକାର ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଦାବି କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ବାସ୍ତବରେ ୨୦୩୬ ଅଲିମ୍ପିକ୍ସ ଦାବି ପୂର୍ବରୁ ଅହମଦାବାଦ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଦାବି କରିବାକୁ ଯୋଜନା କରିଥିଲା। ଭିତ୍ତିଭୂମି କାର୍ଯ୍ୟ ୨୦୨୮ ମସିହା ସୁଦ୍ଧା ଶେଷ କରିବାକୁ ମଧ୍ୟ ଖସଡ଼ା ପ୍ରସ୍ତୁତ ରଖିଥିଲା। ଏବେ ସାମ୍ପ୍ରତିକ ପରିସ୍ଥିତି କାରଣରୁ ୨୦୨୬ ସଂସ୍କରଣ ଦୌଡ଼ରେ ଅହମଦାବାଦ ସାମିଲ‌ ହୋଇଯାଇଛି କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରି ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରତ୍ୟେକ୍ଷ ଭାବେ ଅଲିମ୍ପିକ୍ସ ବିଡ୍‌ ପ୍ରକ୍ରିୟା ଏବଂ ଭିତ୍ତିଭୂମି କାର୍ଯ୍ୟର ତଦାରଖ କରୁଛନ୍ତି। ଅଲିମ୍ପିକ୍ସ ପାଇଁ ଏହାର ଭିତ୍ତିଭୂମି କାର୍ଯ୍ୟ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ମଧ୍ୟ ରାଜ୍ୟ ସରକାର ଯୋଜନା କରିଛନ୍ତି।

କେନ୍ଦ୍ର ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ରାଜ୍ୟ ସରକାର ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଦାଦି କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ନିକଟରେ ଥିବା ସର୍ଦାର ବଲ୍ଲଭଭାଇ ପଟେଲ୍ ସ୍ପୋର୍ଟସ ଏନ୍‌କ୍ଲେଭ୍‌ ଏବଂ ନରଣପୁରା ସ୍ପୋର୍ଟସ କଂପ୍ଲେକ୍ସ ଆଦିରେ ଅଲିମ୍ପିକ୍ସ ଖେଳ ପାଇଁ ସୁବିଧା ହେଉଥିବା ଜଣାପଡ଼ିଛି। ସର୍ଦାର ବଲ୍ଲଭଭାଇ ପଟେଲ୍ ସ୍ପୋର୍ଟସ ଏନ୍‌କ୍ଲେଭ୍‌ ମୋଟେରାର ୨୩୬ ଏକର ଜମିରେ ନିର୍ମାଣ ଚାଲିଥିବା ବେଳେ ଏହ‌ାର ବ୍ୟୟ ଅଟକଳ ହେଉଛି ୪,୬୦୦ କୋଟି। ଏହା ଭିତରେ ୨୦ଟି କ୍ରୀଡ଼ା ଶୃଙ୍ଖଳା ପାଇଁ ୯୩ ଲକ୍ଷ ବର୍ଗଫୁଟ୍‌ ପରିସରରେ ନିର୍ମାଣ ଚାଲିଛି। ଅଲିମ୍ପିକ୍ସ ଦାବି ପାଇଁ ରାଜ୍ୟ ସରକାର ମଧ୍ୟ ୨ଟି ସ୍ବତନ୍ତ୍ର କମିଟି ଗଠନ କରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଉପଦେଷ୍ଠା ମଣ୍ଡଳି ଗଠିତ ହୋଇଛି।

Leave A Reply

Your email address will not be published.