ଓଡିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଜମ୍ମୁ କଶ୍ମୀରର ଗୁରେଜ ସେକ୍ଟରରେ ଚିତା ହେଲିକପ୍ଟର କ୍ରାସ ହୋଇଛି । ବାରାଉମ ଅଞ୍ଚଳ ଉପରେ ଉଡୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବଳ ବରଫ ଅଞ୍ଚଳରେ ପଡ଼ିଛି ଦୁର୍ଘଟଣାଗ୍ରସ୍ତ ଚିତା ହେଲିକପ୍ଟର। ଉଦ୍ଧାରକାରୀ ଦଳ ଓ ସୁରକ୍ଷା ବାହିନୀ ସେଠାରେ ପହଞ୍ଚିଥିବା ବାୟୂସେନା ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ ଅସୁସ୍ଥ ବିଏସ୍ଏଫ୍ କର୍ମଚାରୀଙ୍କୁ ଆଣିବାକୁ ଯିବା ବାଟରେ ଭାରତୀୟ ବାୟୁସେନାର ଏକ ଚିତା ହେଲିକପ୍ଟଟର ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର କାଶ୍ମୀରର ଗୁରେଜ୍ ସେକ୍ଟରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ହେଲିକପ୍ଟଟର ପାଇଲଟ୍ଙ୍କ ମୃତ୍ୟୁ ଘଟିଥିବା ବେଳେ ସହ-ପାଇଲଟ୍ ଆହତ ହୋଇଛନ୍ତି ବୋଲି ସେନା ଅଧିକାରୀମାନେ କହିଛନ୍ତି।ଦୁର୍ଘଟଣାରେ ଆହତ ସହ-ପାଇଲଟଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେମାନେ କହିଛନ୍ତି।
ଜଣେ ସେନା ଅଧିକାରୀ ଦୁର୍ଝଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟଟରଟି ଅବତରଣ କରିବାକୁ ଯାଉଥିଲା। କିନ୍ତୁ ଖରାପ ପାଣିପାଗ ପରିସ୍ଥିତି ହେତୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଲା। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରର ଗୁଜରାନ ନାଲାହ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀମାନେ କହିଛନ୍ତି ଯେ ଅନୁସନ୍ଧାନ କାରୀ ଦଳ ବଞ୍ଚିଥିବା ଲୋକଙ୍କୁ ଖୋଜୁଥିବା ବେଳେ ଦୁର୍ଘଟଣା ସ୍ଥଳକୁ ଯିବାକୁ ରାସ୍ତା ନଥିବାରୁ ଉଦ୍ଧାରକାରୀ ଦଳକୁ ପାଦରେ ପଠାଯାଇଛି।