ଏୟାର୍ ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା : ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ପହଞ୍ଚାଇବା ଲାଗି ମୁମ୍ବାଇରୁ ଋଷ ଗଲା ରିଲିଫ୍ ବିମାନ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ନୂଆଦିଲ୍ଲୀରୁ ସାନ୍ଫ୍ରାନ୍ସିସ୍କୋ ଯାଉଥିବା ଏୟାର୍ ଇଣ୍ଡିଆର ଗୋଟାଏ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମଙ୍ଗଳବାର ଦିନ ତାହାକୁ ରୁଷର ମଗଦାନକୁ ନିଆଯାଇଥିଲା। ଉକ୍ତ ବିମାନଟିକୁ ଚଳାଇବା ପାଇଁ ‘ଏୟାର୍ ଇଣ୍ଡିଆ’ର ଅଧିକାରୀମାନେ ସମ୍ପ୍ରତି ବିମାନ ଚଳାଚଳ ନିୟମ ସଂକ୍ରାନ୍ତ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ସେଥିରେ ଥିବା ଯାତ୍ରୀମାନଙ୍କୁ ଆଣିବା ପାଇଁ ଆଜି ଆଉ ଏକ ବିମାନ ରୁଷ୍ ମଗଦାନ ଯାତ୍ରା କରିବ ।
ଅଟକି ରହିଥିବା ଏୟାର୍ ଇଣ୍ଡିଆ ଯାତ୍ରୀମାନଙ୍କୁ ଆମେରିକାର ସାନ୍ଫ୍ରାନ୍ସିସ୍କୋରେ ପହଂଚାଇବା ଲାଗି ଆଜି ଅପରାହ୍ଣ ୧ଟା ବେଳେ ମୁମ୍ବାଇରୁ ଗୋଟାଏ ରିଲିଫ୍ ବିମାନ ରୁଷ୍ର ମଗଦାନ୍ ଅଭିମୁଖେ ଯାତ୍ରା କରିଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି ।
ମିଳିଥିବା ସୂଚନା ଅନୁସାରେ, ରୁଷ୍ର ରାଜଧାନୀ ମସ୍କୋଠାରୁ ପ୍ରାୟ ୧୦,୦୦୦ କିଲୋମିଟର୍ ଦୂର ମଗଦାନ୍ରେ ଅବତରଣ କରିଥିବା ଉକ୍ତ ଏୟାର୍ ଇଣ୍ଡିଆର ଯାତ୍ରୀମାନଙ୍କୁ ‘ଡର୍ମିଟାରି’ମାନଙ୍କରେ ରଖାଯାଇଛି । କାରଣ, ଉକ୍ତ ବିମାନରେ ଯେତେ ଯାତ୍ରୀ ଥିଲେ, ସମସ୍ତଙ୍କୁ ରଖିବା ପାଇଁ ସେ ଅଂଚଳରେ ଥିବା ହୋଟେଲ୍ ସବୁ ଅସମର୍ଥ । ସୁଦୂର ରୁଷୀୟ ନଗରୀ ମଗଦାନ୍ରେ ଘଟୁଥିବା ଘଟଣାକ୍ରମ ଉପରେ ଦୃଷ୍ଟି ରଖାଯାଇଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି ।
ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ରଖିଛନ୍ତି । ଆମେ ମଧ୍ୟ ଏୟାର୍ ଇଣ୍ଡିଆ ସହିତ ଯୋଗଯୋଗ ରଖିଛୁ । ଯାନ୍ତ୍ରିକ ତ୍ରୁଟି ହୋଇଥିବା ‘ଭିଟି-ଏଏଲ୍ଏଚ୍’ ବିମାନଟିକୁ ସଜାଡିବା ଲାଗି ଲୋକ ଓ ସାମଗ୍ରୀ ସହିତ ଏୟାର୍ ଇଣ୍ଡିଆ ରିଲିଫ୍ ବିମାନ ‘ବି୭୭୭-୨୦୦ଏଲ୍ଆର୍ଭିଟି-ଏଏଲ୍ଏଫ୍’ ପଠାଇବ। ‘ବି୭୭୭-୨୦୦ଏଲ୍ଆର୍ ଭିଟି-ଏଏଲ୍ଏଫ୍’ ବିମାନ ଯାତ୍ରୀମାନଙ୍କୁ ମଗଦାନ୍ରୁ ‘ସାନ୍ ଫ୍ରାନ୍ ସିସ୍କା ଆନ୍ତର୍ଜାତିକ ବିମାନ ବନ୍ଦର’କୁ ନେଇଯିବ। ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ‘ବି୭୭୭-୨୦୦ଏଲ୍ଆର୍ ଭିଟି-ଏଏଲ୍ଏଫ୍’ ବିମାନ ମୁମ୍ବାଇରୁ ଉଡାଣ ଆରମ୍ଭ କରିବ । ଏୟାର୍ ଇଣ୍ଡିଆ ମଧ୍ୟ ଆମକୁ ସୂଚନା ଦେଇଛି ଯେ, ସେମାନେ ଯାତ୍ରୀମାନଙ୍କର ଭଲମନ୍ଦ ବୁଝାଶୁଝା କରୁଛନ୍ତି ।
ଯାତ୍ରୀମାନଙ୍କୁ ଆଶ୍ରୟ ଦେବା ପାଇଁ ସ୍ଥାନୀୟ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି । ବିମାନ ବନ୍ଦର ନିକଟରେ ଥିବା ଗୋଟାଏ ସ୍କୁଲ୍କୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି । ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ଭାରତୀୟ ଦୂତାବାସ ସହିତ ମଧ୍ୟ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି ।